ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତେ ଭଲ କାମ କରନ୍ତୁ, ସୁନାମ ଅର୍ଜନ କରନ୍ତୁ, ସଚ୍ଚୋଟତାକୁ ୱାର୍କ କଲ୍ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ – ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର : ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି । ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ବିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ବିତୀୟ ନିଯୁକ୍ତି ମେଳା ।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ନବ ନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଆପଣ ମାନଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା । ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତେ ଭଲ କାମ କରନ୍ତୁ, ସୁନାମ ଅର୍ଜନ କରନ୍ତୁ, ସଚ୍ଚୋଟତାକୁ ୱାର୍କ କଲ୍ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ । ଅସୀମିତ ଆତ୍ମସନ୍ତୋଷ ପାଇବେ। ସାଧାରଣ ଗରିବ ଜନତାଙ୍କ ଆଶୀର୍ବାଦ ହେବ ଆପଣଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି ।
ସେ ପୁଣି କହିଥିଲେ, ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର ବିଶେଷ ଭାବେ ନିଯୁକ୍ତି । ସେଥିପାଇଁ ମାତ୍ର ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆମେ ଆଜିକୁ ମିଶାଇ ସମୁଦାୟ ୩୦,୦୩୨ ଟି ପଦବୀରେ ନିଯୁକ୍ତି ପ୍ରଦାନ କରିଛୁ । ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା । ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବୀ ପୂରଣ ହେବ। ସରକାରୀ ପଦବୀ ପୂରଣ କରିବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି, ମେରିଟ୍ ବେସିସ୍ରେ ଚୟନ କରାଯାଉଛି । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟରେ ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି । ୧୫ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧,୦୭,୯୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତକରି କହିଥିଲେ ଯେ, ଆମ ସରକାରରେ ଯେତେବି ପରୀକ୍ଷା ହେଉଛି କୌଣସି ଠାରେ ଦୁର୍ନୀତି ବା ଅନିୟମିତତାର ଅଭିଯୋଗ ଆସିନାହିଁ । ଯେତେବେଳେ ବି ସାମାନ୍ୟତମ ସୁରାକ ଆସୁଛି, ତା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆମ ସରକାରର ଲକ୍ଷ୍ୟ ହେଉଛି, ସବୁ ପରୀକ୍ଷାର୍ଥୀଙ୍କୁ Level Playing Field ପ୍ରଦାନ କରିବା, ଯାହା ଦ୍ୱାରା କେବଳ ଯୋଗ୍ୟ ପ୍ରାର୍ଥୀ ହିଁ ସଫଳତା ପାଇବେ ।
ସେ ନବନିଯୁକ୍ତଙ୍କୁ ଆହୁରି କହିଥିଲେ, ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରନ୍ତୁ, ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନମଙ୍ଗଳ ଉପରେ ଯେପରି ଆଧାରିତ ହେବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ ।
ମୁଖ୍ୟମନ୍ତ୍ରୀ ୩୦ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ନବନିଯୁକ୍ତଙ୍କ ମଧ୍ୟରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୋଗଦେଇଥିବା ସମ୍ବଲପୁରର ଶିବାନୀ ଷଡଙ୍ଗୀ ଓ ଅର୍ଥ ବିଭାଗରେ ଯୋଗଦେଇଥିବା କଟକ ଜିଲ୍ଲାର ବିଶ୍ୱଜିତ୍ ପ୍ରଧାନ ତାଙ୍କ ଅନୁଭୂତି ଓ ଅଭିଜ୍ଞତାରେ ସରକାରଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପଦ୍ଧତି ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।
ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆମ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପୂରଣ କରିଥାନ୍ତି । ଆମର ଲକ୍ଷ୍ୟ ରହିଛି ୫ ବର୍ଷରେ ୧.୫୦ ଲକ୍ଷ ନିଯୁକ୍ତି ପ୍ରଦାନ । ଆଜି ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ପ୍ରଦାନ କରାଗଲାଣି । ପାଞ୍ଚ ବର୍ଷ ଭିତରେ ଆମେ ଖାଲି ଥିବା ସମସ୍ତ ପଦବୀ ପୂରଣ କରିବୁ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆମ ସରକାର ଆସିବା ପରେ ପ୍ରତିବଦ୍ଧତାର ସହ ଆମେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ ନିଯୁକ୍ତି ମେଳା ମାଧ୍ୟମରେ ଉଦ୍ୟମ ଜାରି ରଖିଛୁ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ ।
କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।