ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ 14ରୁ 27 ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ତରଫରୁ ସମଗ୍ର ଓଡ଼ିଶାରେ “ଅଗ୍ନି” ଅଭିଯାନ ଆରମ୍ଭ କରାଯାଇଥିଲା ।
ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ସମଗ୍ର ରାଜ୍ୟରେ ସର୍ବମୋଟ 184 ଟି ମାମଲା ରୁଜୁ ହୋଇଥିବା ବେଳେ, 133 ଜଣଙ୍କୁ ଗିରଫ ଏବଂ 45 ନୋଟିସ ଜାରି କରାଯାଇଛି ।ମୋଟ ଆନୁମାନିକ ₹8,24,60,700/- ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି ।
“ଅଗ୍ନି” ଅଭିଯାନ ଫଳରେ ରାଜ୍ୟରେ ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟରେ ରୋକ ଲାଗି ପାରିଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।
ରାଜ୍ୟ ପୋଲିସର ଏହି ପ୍ରୟାସ ପର୍ବ-ପର୍ବାଣୀ ସମୟ ରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାକୁ ସୁନିଶ୍ଚିତ କରିଛି ।
ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନରେ ସମଗ୍ର ରାଜ୍ୟରେ ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ ଜିଲ୍ଲା ରେ ସର୍ବାଧିକ ପରିମାଣର ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ₹ 5 କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । 10 ଟି ମାମଲା ରୁଜୁ ହୋଇଥିଲା ବେଳେ 5 ଜଣଙ୍କୁ ଗିରଫ ଏବଂ 5 ଜଣଙ୍କୁ ନୋଟିସ ଜାରି କରାଯାଇଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ ₹ 21,05,000 ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ 14 ଟି ମାମଲା ରୁଜୁ ସହ 4 ଜଣଙ୍କୁ ଗିରଫ ଏବଂ 10 ଜଣଙ୍କୁ ନୋଟିସ ଜାରି କରାଯାଇଛି ।
ସେହିପରି କେନ୍ଦୁଝର ଜିଲ୍ଲାରେ ₹ 15,16,000/- ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ 21 ଟି ମାମଲା ରୁଜୁ ଏବଂ 21 ଜଣଙ୍କୁ ଗିରଫ କରାଯାଇଛି ।
ସେହିପରି ଅନୁଗୁଳ ଜିଲ୍ଲାରେ ₹ 1.50/- କୋଟି ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ 17 ଟି ମାମଲା ରୁଜୁ ସହ 13 ଜଣଙ୍କୁ ଗିରଫ କରାଯାଇଛି ।