“ଜୀବନ ଦାନ”ର ଟ୍ରେଲର ମୁକ୍ତିଲାଭ

ଭୁବନେଶ୍ୱର : ସମାଜର ବିଭିନ୍ନ କୋଣରୁ ଦର୍ଶକଙ୍କ ସମାଗମ ସହିତ କ୍ଲାସିକ୍ ଓଡ଼ିଆ ଫିଚର ଫିଲ୍ମ “ଜୀବନ ଦାନ”ର ଟ୍ରେଲର ଭୁବନେଶ୍ୱରରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ଜାତୀୟ ସ୍ତରରେ ପ୍ରଶଂସିତ, ଚଳଚ୍ଚିତ୍ର ନିର୍ଦ୍ଦେଶକ ‘ସୌରଭ ସରକାର’ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସମାଜବିଜ୍ଞାନୀ ଡକ୍ଟର ସମାପିକା ମହାପାତ୍ରଙ୍କ ଦ୍ୱାରା ପ୍ରଯୋଜିତ । ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀ ରାଧାମୋହନ ମହାପାତ୍ରଙ୍କ ଦ୍ୱାରା ଲିଖିତ ଏକ ମୌଳିକ ଉପନ୍ୟାସର ରୂପାନ୍ତର ଅଟେ ଏହି ଫିଲ୍ମିଟି । ପ୍ରକାଶଯୋଗ୍ୟ ଯେ, ଏ ସିନେମାଟି ନୀତିଶାସ୍ତ୍ର ଉପରେ ଗୁରୁତ୍ୱ ଦେବା ସହିତ ପିତା-ପୁତ୍ରଙ୍କ ସମ୍ପର୍କର ଏକ ସ୍ପର୍ଶକାତର କାହାଣୀକୁ ମଧ୍ୟ ପ୍ରଦର୍ଶିତ କରିଥାଏ। । ପ୍ରସିଦ୍ଧ ସମାଜବିଜ୍ଞାନୀ ପ୍ରଫେସର ରବିନ୍ଦ୍ର ଗରଡା, ବିଭାବରୀ ବଳ, ପ୍ରଫେସର ବିଜୟ କୃଷ୍ଣ ବେହେରା, ଆଧ୍ୟପକ ବିଶ୍ୱରଞ୍ଜନ ଏବଂ ପ୍ରଫେସର ଝୁମକି ରଥ ଚଳଚ୍ଚିତ୍ରର ଜୟଯାତ୍ରାରେ ପ୍ରତ୍ୟେକ ସଦସ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଦୀପେଶ ସାମନ୍ତରାୟ, ଶ୍ୱେତାଶ୍ରୀ ପାଢୀ, ତରନଜିତ ଖାନ୍ନାଙ୍କ ଦ୍ୱାରା ଅଭିନୀତ କେନ୍ଦ୍ରୀୟ ଚରିତ୍ରଗୁଡ଼ିକର କଳାକାରମାନେ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସାମାଜିକ ବିବେକକୁ ପୁନର୍ଜୀବିତ କରିବା ଉଦ୍ଧେଶ୍ୟରେ ଚଳଚ୍ଚିତ୍ରଟି କିଛି ମାସ ମଧ୍ୟରେ ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ଶେଷରେ ନିର୍ଦ୍ଦେଶକ ‘ସୌରଭ ସରକାର’ ଏହାର ସଫଳତା କାମନା କରିଛନ୍ତି ।