ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବରିଷ୍ଠ ନାଗରିକଙ୍କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋଚନା ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲଇକେରା ବ୍ଳକର ବିଭିନ୍ନ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଯୋଜନା ବିଷୟରେ ଅବଗତ କରାଇବା ସହ ଲଇକେରା ବ୍ଲକରେ ଆଉ କେଉଁ କେଉଁ କାର୍ଯ୍ୟ କଲେ ଲଇକେରା ବ୍ଳକ ର ଉନ୍ନତି ହେବ, ସେ ନେଇ ବରିଷ୍ଠ ନାଗରିକଙ୍କ ମତ ଦେବା ପାଇଁ ନିବେଦନ କରିଥିଲେ । ଏହା ସହିତ ବରିଷ୍ଠ ନାଗରିକମାନେ ଯେଉଁ ଯେଉଁ ପ୍ରସ୍ତାବ ଗୁଡିକ ଦେଲେ, ସେଗୁଡିକୁ ବିଭାଗୀୟ ଅଧିକାରୀଙ୍କୁ ନୋଟ କରି ଆଗାମୀ ଦିନରେ ସେଗୁଡିକ ପାଳନ କରାଯାଇ ଲଇକେରାର ଉନ୍ନତି ସାଧନ କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ବିଧାୟକ ତ୍ରିପାଠୀ ସମ୍ବର୍ଦ୍ଧନା କରିବା ସହିତ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ପୁନର୍ବାର କରିବା ନେଇ ମତ ପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଲଇକେରା ବ୍ଳକର ଶତାଧିକ ବରିଷ୍ଠ ନାଗରିକ ନିଜ ନିଜର ମତ ପ୍ରକାଶ କରିଥିବା ବେଳେ ବିଧାୟକ ତ୍ରିପାଠୀଙ୍କ ସହିତ ପି ଏ ଆଇ ଟି ଡି ଏ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଉଠା ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଲଇକେରା ବିଡ଼ିଓ, ତହସିଲଦାର ତଥା ଜିଲ୍ଲା ସ୍ତରର ବହୁ ଅଧିକାରୀ ସାମିଲ ଥିଲେ ।