ସତ୍ୟାଗ୍ରହରେ ସାମିଲ ହେଲେ ସାଂସଦ ଏବଂ ବିଧାୟକ

ଭୁବନେଶ୍ୱର  : ରାଜ୍ୟର ୮୦ ପ୍ରତିଶତ ହେଉଛନ୍ତି ଚାଷୀ । କିନ୍ତୁ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି କାରଣରୁ ହନ୍ତସନ୍ତ ହେବା ସହିତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଆଜି ଶୀର୍ଷରେ ପହଞ୍ଚିଛି । ନ୍ୟାର୍ଯ୍ୟ ହକ୍ ପାଇଁ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସତ୍ୱେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ କି କୌଣସି ତତ୍ପରତା ଦେଖାଉ ନାହାନ୍ତି । ବରଂ ମିଛ ପ୍ରତିଶୃତି ଦେଇ ସରଳ ଚାଷୀଙ୍କୁ ବାରମ୍ବାର ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ପଠାଉଥିବା ସାର, ବିହନ ଆଦିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାବଜାରୀ କରାଯାଉଛି । ଚାଷୀଙ୍କୁ ଜଳସେଚନ, ସାର, ବିହନ ଆଦି ଯୋଗାଇବାରେ ବିଫଳ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ ଯୋଜନାର ସୁଫଳରୁ ଜାଣିଶୁଣି ବଞ୍ଚିତ ରଖୁଛନ୍ତି । କିନ୍ତୁ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଚାଷୀଙ୍କ ମୃତ୍ୟୁକୁ ତାଚ୍ଛଲ୍ୟ କରିବା ସହ ବିଜେପି ଚାଷୀଙ୍କୁ “ଅମର ଲଡୁ ଦିଅ” ବୋଲି କହି ତାତ୍ସଲ୍ୟ କରୁଛନ୍ତି । ନିଜକୁ ଚାଷୀଙ୍କ ଦରଦୀ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଘୋଷଣା କରିଥିବା ୧୦ ହଜାର ଟଙ୍କା ନଦେଇ ମାତ୍ର ୪ ହଜାର ଟଙ୍କା ଦେଉଛନ୍ତି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ । କାଳିଆ ଯୋଜନାରେ ଚାଷୀ ନୁହଁ ବରଂ ବିଜେଡି ନେତାମାନେ ଲାଭବାନ ହେଉଛନ୍ତି । ନିର୍ବାଚନ ସମୟରେ ମିଛ ପ୍ରତିଶୃତିର ଭଣ୍ଡାର ଘର ଖୋଲି ଦେଇ ମୁଖ୍ୟମନ୍ତ୍ରୀ ପରବର୍ତୀ ସମୟରେ ଭୁଲି ଯାଆନ୍ତି । ଦୀର୍ଘ ୨୨ବର୍ଷ ଶାସନରେ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଗୋଟିଏ ହେଲେ ପକ୍କା ଯୋଜନା କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର, ଏପରିକି ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ମଧ୍ୟ ଖୋଲିନାହାନ୍ତି । ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଏବଂ ଚାଷୀମାରଣ ନୀତି କାରଣରୁ ଚାଷୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିବାବେଳେ ନିଜ ଦୋଷକୁ କେନ୍ଦ୍ର ସରକାରଙ୍କ ଉପରେ ଲଦି ଦେବା ଅତ୍ୟନ୍ତ ନିନ୍ଦନୀୟ । କୃଷି ଓ କୃଷକଙ୍କୁ ନ୍ୟାୟ ଦାବୀରେ ବିଧାନସଭା ସମ୍ମୁଖ ଲୋୟର ପିଏମଜଠାରେ ବିଜେପି ତରଫରୁ  ସତ୍ୟାଗ୍ରହ କରାଯାଉଛି । ଯଥାଶୀଘ୍ର ଅନ୍ନଦାତାଙ୍କ ହକ୍ ରାଜ୍ୟ ସରକାର ଦିଅନ୍ତୁ ନହେଲେ ବିଜେପି ସାରା ବ୍ଲକରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶୁକ୍ରବାର ଦିନ ସତ୍ୟାଗ୍ରହ ସ୍ଥଳୀରୁ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ବିଧାନସଭାରୁ ଚାଲି ଚାଲି ସିଧାସଳଖ ସତ୍ୟାଗ୍ରହ ସ୍ଥଳୀକୁ ବିଜେପି ବିଧାୟକମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଯୋଗ ଦେଇଥିଲେ । ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ପ୍ରାଥମିକତା ଏବଂ ମୋଦି ସରକାର ଏଥି ପାଇଁ ପ୍ରତିଶୃତିବଦ୍ଧ । କୌଣସି ପରିସ୍ଥିତିରେ ଚାଷୀଙ୍କ ପ୍ରତି ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ । ବିଧାନସଭାରେ ଆମେ ଚାଷୀଙ୍କ ସ୍ୱରକୁ ଉତୋଳନ କରିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବାକୁ ସତ୍ୟାଗ୍ରହରେ ଯୋଗ ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି । ଏହି ଅବସରରେ ବିଧାୟକ ଭାସ୍କର ମଢେଇ, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଜୟନ୍ତ ଷଡଙ୍ଗୀ, ନବଚରଣ ମାଝୀ ଏବଂ ସନାତନ ବିଜୁଳି ପ୍ରମୁଖ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିଥିଲେ । ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ ସତ୍ୟାଗ୍ରହରେ ଯୋଗ ଦେଇ କୃଷି ଓ କୃଷକ ବିରୋଧୀ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କୁ ଆଉ ପ୍ରତାରଣାର ଶିକାର ନହେବାକୁ କହିଥିଲେ ।  ୮ମ ଦିନ ସତ୍ୟାଗ୍ରହରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଅଲେଖ ଜେନା, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯୋଧନ ସାହୁ, ଶାରଦା ପ୍ରଧାନ, ବାବୁ ସିଂ, ଆଶ୍ରୀତ ପଟ୍ଟନାୟକ, ସୁଜିତ୍ କୁମାର୍ ଦାସ୍‌, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *