୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩

ଭୁବନେଶ୍ୱର : ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍‌ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Mechanical), ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ, ଆମେ ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ । ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ଟି ନିଯୁକ୍ତିମେଳା ଜରିଆରେ ଆମେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ । ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍‌ ଦିନ ଭିତରେ ଆଗରୁ କେବେ ହୋଇନାହିଁ । ଦୁଇ ବର୍ଷ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହାସଲ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଔଦ୍ୟୋଗିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଆମେ ପଦକ୍ଷେପ ନେଉଛୁ । ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛୁ । ଓଡ଼ିଶାର ଯୁବଶକ୍ତି ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ଭାବ ଆପଣମାନେ ଜାଣିପାରୁଥିବେ । ଆମର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ନିରବଚ୍ଛିନ୍ନ ଭାବରେ ଜାରି ରହିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣେଇଛନ୍ତି, ତେଣୁ ଆପଣମାନେ ଦୁର୍ନୀତିକୁ ବିଷ ମନେକରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଦଜନକ ହେବ । ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଯେପରି ଓଡ଼ିଶା ଏବଂ ରାଜ୍ୟବାସୀଙ୍କ ଉନ୍ନତିରେ ସହାୟକ ହେବ ତାକୁ ଦୃଷ୍ଟିରେ ରଖି କାମ କରନ୍ତୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଚାରୋଟି ପରାମର୍ଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସହୃଦୟତାପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଭାବେ ସେବା ଯୋଗାଇଦେବେ, ନିଜର କାର୍ଯ୍ୟରେ ସବୁବେଳେ ଉତ୍କୃଷ୍ଟତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ, ସବୁବେଳେ ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରନ୍ତୁ ଓ ସମୟ ଉପଯୋଗୀ କରନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟତା ଓ ସ୍ୱଚ୍ଛତା ବଜାୟ ରଖନ୍ତୁ ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ନବନିଯୁକ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆମ ସରକାର ଲୋକଙ୍କ ପାଇଁ କାମ କରୁଛି, ଆପଣମାନେ ଯେଉଁଠି ବି ନିଯୁକ୍ତି ପାଆନ୍ତୁ, ସେଠାକୁ ଯାଇ ଲୋକଙ୍କ ପାଇଁ ଆପଣମାନେ କାମ କରନ୍ତୁ । ଲୋକଙ୍କ ସେବା କରିବା ହେଉଛି ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ଧର୍ମ । କର୍ତ୍ତବ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ସେ କହିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ, ଧିରେ ଧିରେ ତାହା ପୂରଣ ହେବାକୁ ଯାଉଛି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ତ୍ୱରାନ୍ୱିତ କରିଛନ୍ତି । ନିଜ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବା ପାଇଁ ସେ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛନ୍ତି। ଦାୟିତ୍ୱସମ୍ପନ୍ନ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରନ୍ତୁ ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସରକାର ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବା ପାଇଁ କାର୍ଯ୍ୟ କରୁଛନ୍ତି । ଆପଣମାନେ ନିଜ ନିଜ କ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତାର ସହିତ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରନ୍ତୁ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨ ଟି ବିଭାଗର ୩୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ବିଭାଗରେ ନିଯୁକ୍ତି ପାଇଥିବା କେନ୍ଦୁଝର ଜିଲ୍ଲାର ବନସିଂହ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ପ୍ରଧାନ, ଜଙ୍ଗଲ ବିଭାଗରେ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲାର ଦେବେନ୍ଦ୍ର ପଡିଆମି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲାର ଅନ୍ୱେଷା ରାୟ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ସରକାରୀ ଚାକିରୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।