ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଏକ ଘରୋଇ ହୋଟେଲରେ ରବିବାର ଦିନ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ଜୀ ରାମ ଜୀ ଗ୍ରା ମୀଣ ନିଯୁକ୍ତି ନୂତନ ଗ୍ୟାରେଣ୍ଟି ଯୋଜନା ବିଷୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ପ୍ରମୁଖ ରହି ଜୀ ରାମ ଜୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଳିଙ୍ଗ ଓ ବିଧାୟକ ତ୍ରିପାଠୀ ବିଗତ ୟୁପିଏ ସରକାର ସମୟରେ ଆରମ୍ଭ ହୋଇଥିବା ଏମଜିଏନଏରଇଜି ଏ ଯୋଜନା ଭ୍ରଷ୍ଟାଚାର, କୁଶାସନ, ଖରାପ ସମ୍ପତ୍ତି ସୃଷ୍ଟି ଏବଂ ସର୍ବନିମ୍ନ ସର୍ବକାଳୀନ ପ୍ରଭାବ ଦ୍ୱାରା ଜର୍ଜରିତ ଥିଲା । କେନ୍ଦ୍ରରେ ଥିବା ବିଜେପି ସରକାର ଏମଜି ଏନଆରଇଜି ଏ ସ୍ଥାନରେ ଗ୍ରାମୀଣ ନିଯୁକ୍ତିକୁ ଏକ ନୂତନ ପରିଭାଷା ପ୍ରଦାନ କରି ଭିବି ଜୀ ରାମ ଆଇନ 2025 କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକାକୁ ସୁଦୃଢ କରିବା ସହିତ ଗରିବ ବ୍ୟକ୍ତିଙ୍କୁ ନିଯୁକ୍ତି କରିବ । ଏହି ନୂତନ ଯୋଜନାରେ ପୂର୍ବରୁ ଥିବା 100 ଦିନରୁ 125 ଦିନ କାର୍ଯ୍ୟାଦିବାସକୁ ଗ୍ୟାରେଣ୍ଟି ସହ ବୃଦ୍ଧି କରାଯାଇଛି । ଏହାସହ ବାର୍ଷିକ 60 ଦିନ କାର୍ଯ୍ୟ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏପରିକି ଏହି ଯୋଜନାରେ ଶ୍ରମିକଙ୍କୁ 7 ଦିନରେ ମଜୁରୀ ପ୍ରଦାନ ସହ 15 ଦିନରେ କାର୍ଯ୍ୟ ପ୍ରଦାନ ଏବଂ ନ ହେଲେ ବେକାରୀ ଭତ୍ତା ପ୍ରଦାନ ନେଇ ନିୟମ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଳିଙ୍ଗ ସୂଚନା ଦେଇଛନ୍ତି । ଏହାସହ ଭିବିଜିରାମ ର ଚାରୋଟି ପ୍ରାଥମିକତା ଉପରେ ସୂଚନା ଦେଇଥିଲେ । ଏଥିରେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯୟ ପ୍ରଶମନ ଉପରେ ପ୍ରାଧାନ୍ୟ ଦିଆଯିବ । ଏହାସହ ଏଥିରେ ନିରପେକ୍ଷ ସମ୍ବଳ ବଣ୍ଟନ ସହ ଯେପରି ଦୁର୍ନୀତି ନ ହୁଏ ସେଥିପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯିବ ବୋଲି ମନ୍ତ୍ରୀ ମହାଳିଙ୍ଗ ସୂଚନା ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ଦେଖିଥିବା ବିକଶିତ ଭାରତ 2047 ଓ ବିକଶିତ ଓଡିଶା 2036 ସ୍ବପ୍ନ ସାକାର ହୋଇପାରିବ । ଏପରିକି ଭିଭିଜିରାମ କୁ ଦୁର୍ନୀତି ମୁକ୍ତ କରିବା ଏବଂ ଶତ ପ୍ରତିଶତ ସ୍ଥାନୀୟ ବିକାଶକୁ ସୁଦୃଢ କରିବ । ଏହାସହ ପଂଚାୟତ ଗୁଡିକ ଜିଆଇଏସ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବ ସହ ଏହି ଯୋଜନାକୁ ପିଏମ ଗତିଶକ୍ତି ସହ ଯୋଡ଼ାଯିବ ବୋଲି ମନ୍ତ୍ରୀ ମହାଳିଙ୍ଗ ସୂଚନା ଦେଇଥିଲେ ।