ଓଡିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ପୁରସ୍କୃତ

ଭୁବନେଶ୍ୱର : ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ୍ (ଓଡିଶା ପାଇଁ SLBC ସଂଯୋଜକ), ପୁରସ୍କୃତ ହୋଇଛନ୍ତି । ଗତ ଜାନୁଆରୀ ୧୮-୧୯ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୧୩ତମ ଜାତୀୟ ସମୀକ୍ଷା ସମ୍ମିଳନୀରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ବୃହତ ରାଜ୍ୟ – ସମବାୟ ବ୍ୟାଙ୍କ ବର୍ଗରେ ପ୍ରଥମ ପୁରସ୍କାର ପାଇଛି ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବର୍ଗରେ ତୃତୀୟ ପୁରସ୍କାର ପାଇଛି ।
ଖରିଫ ୨୦୨୪ ବର୍ଷରେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜିକୃତ ୨୨. ୪୧ ଲକ୍ଷ ଚାଷୀଙ୍କ ମଧ୍ୟରୁ, ଏହି ବ୍ୟାଙ୍କଗୁଡ଼ିକ ମିଳିତ ଭାବରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପଞ୍ଜୀକୃତ କରିଥିଲେ, ସେଥିରେ ଋଣଗ୍ରହୀ ଏବଂ ଅଣ-ଋଣଗ୍ରହୀ ଉଭୟ ବର୍ଗ ଅନ୍ତର୍ଭୁକ୍ତ ଥିଲେ । ସେହିପରି, ୨୦୨୪-୨୫ ରବି ବର୍ଷରେ, ସେମାନେ ରାଜ୍ୟରେ ମୋଟ ୧. ୮୧ ଲକ୍ଷ ପଞ୍ଜିକରଣ ମଧ୍ୟରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପଞ୍ଜୀକୃତ କରିଥିଲେ ।
ପାଇଥିବା ପୁରସ୍କାରକୁ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ କୁମାର ସକ୍ସେନା, ଅତିରିକ୍ତ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଲିଟି ପଟ୍ଟନାୟକ, ଯୁଗ୍ମ ଶାସନ ସଚିବ, ସମବାୟ ଶ୍ରୀ ସଂଗ୍ରାମ ରାଉତ, ସିଜିଏମ ୟୁକୋ ବ୍ୟାଙ୍କ, ଇନଚାର୍ଜ ଏସଏଲବିସି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କୁ ଆନୁଷ୍ଠାନିକ ଭାବରେ ପୁରସ୍କାର ପ୍ରଦାନ କରାଯାଇଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମଧ୍ୟରେ ଦୃଢ଼ ସମନ୍ୱୟ ମାଧ୍ୟମରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ପ୍ରତିଫଳିତ କରୁଛି ବୋଲି କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ପାଢ଼ୀ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଖବର ଶୁଣି ଖୁସି ବ୍ୟକ୍ତ କରିବା ସହ ଉଭୟ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ।