ବିଜେଡ଼ି ପାଇକମାଳ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ପ୍ରଯୋଜକ : ନିଶିକାନ୍ତ ମିଶ୍ର

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଗଣଦୁଷ୍କର୍ମ ଘଟଣାରେ ବିଜେଡ଼ି ନେତା ଓ କର୍ମୀଙ୍କ ସିଧାସଳଖ ସଂପୃକ୍ତି, ସେହି ଦଳ ମହିଳାମାନଙ୍କୁ ସମ୍ମାନ ଦେବାରେ କେତେ ବିଶ୍ୱାସ କରେ, ତାହା ସୂଚାଉଛି ବୋଲି କଂଗ୍ରେସ କହିଛି । ପାଇକମାଳ ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେହି ଅବସ୍ଥା ବୋଲି କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର । ସୋମବାର ଦିନ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ଦିବଗଂତ ବିଧାୟକ ଝିଅକୁ ପ୍ରାର୍ଥୀ କରିଛି ବୋଲି ବିଜେଡ଼ି ଯେଉଁ କଥା କହୁଛି, ତାହା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଭୋଟ ହାତେଇବା ଅପଚେଷ୍ଟା । କିନ୍ତୁ ଏ ଦଳ ହେଉଛି ୨୦୦୯ ପାଇକମାଳ ଗଣଧର୍ଷଣ ଘଟଣାର ମୁଖ୍ୟ ପ୍ରଯୋଜକ । ମେ’ ୧୦, ୨୦୦୯ ରେ ଜଣେ ୨୪ ବର୍ଷୀୟ ଦଳିତ ଯୁବତୀଙ୍କୁ ଏହି ଦଳର ଛଅଜଣ ସ୍ଥାନୀୟ ନେତା ଓ କର୍ମୀ ଗଣଧର୍ଷଣ କରିଥିଲେ । ଖାଲି ସେତିକି ନୁହେଁ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼େଇବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । ଏଥିରେ ବିଜେଡ଼ିର ବ୍ଲକସ୍ତରୀୟ ନେତାମାନେ ସଂପୃକ୍ତ ଥିବାରୁ ଘଟଣାକୁ ଚାପି ଦେବାକୁ ମଧ୍ୟ ଉଦ୍ୟମ ହୋଇଥିଲା । ଦିବଗଂତ ବିଧାୟକ ତଥା ସେତେବେଳର ମନ୍ତ୍ରୀଙ୍କ ପୁତୁରା ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ଥିଲା । ପ୍ରବଳ ଦାବି ଯୋଗୁଁ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ କୁ ଦିଆଗଲା । ବିଜେଡ଼ିର ଗେଲ୍ଲାପୁଅ ସାଜିଥିବା ମନ୍ତ୍ରୀଙ୍କ ପୁତୁରାକୁ ଏପରି ଲୁଚାଇ ରଖାଯାଇଥିଲା ।  ୧୫ମାସ ପରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ଗିରଫ କରାଯାଇପାରିନଥିଲା । ଏଥିରୁ ବିଜେଡ଼ିର ମହିଳାମାନେ ସୁରକ୍ଷା ଓ ସମ୍ମାନ ପ୍ରତି ଥିବା ଆନ୍ତରିକତା ବାରି ହୋଇପଡ଼ୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । 

Leave a Reply

Your email address will not be published. Required fields are marked *