ଭାରତର ଅଭିବୃଦ୍ଧିର ଆକାଶରେ ଏହି ଅଞ୍ଚଳ ଏକ ନୂତନ ତାରକା ଭାବେ ଦୃଶ୍ୟମାନ ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି ।
ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, BCPPER ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ । ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ । (This region is going to be a new star in the growth sky of India).
ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ରହିଛି, ସ୍ବତନ୍ତ୍ରତା ରହିଛି । ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ବର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦର ଭିତ୍ତିକ ବିକାଶରେ ପାରାଦୀପ । ବର୍ତ୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ । ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି । ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ବଜେଟ୍ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି । ଏଥିରେ BCPPER ରିଜିଅନ୍ ମଧ୍ୟ ସ୍ଥାନ ପାଇଛି । ପ୍ରତ୍ୟେକ CER ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି । ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାର ତଥା ନୀତି ଆୟୋଗର ସହଯୋଗରେ ରାଜ୍ୟର ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳକୁ ଅର୍ଥନୈତିକ କାୟାକଳ୍ପର ଏକ କେନ୍ଦ୍ରଭାବେ ବିକଶିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।
ଏହି ଇକୋନୋମିକ୍ ପ୍ଲାନ୍ ପ୍ରସ୍ତୁତ କରିଥିବାରୁ ନୀତି ଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଓ ସିଇଓ ଶ୍ରୀ ସୁବ୍ରମଣ୍ୟମଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ । ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ ବଡ ସହର ମାନଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରଠାରୁ ରାଜ୍ୟରେ ସହରୀକରଣର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସହରୀକରଣ ବୃଦ୍ଧି କ୍ଷେତ୍ରରେ ୨୮ଟି ନୂଆ ଏନ୍ଏସି, ୭ଟି ମୁନିସ୍ପାଲ୍ଟି ଏବଂ ଗୋଟିଏ ମହାନଗର ନିଗମ ସୃଷ୍ଟି ସହରୀକରଣ କ୍ଷେତ୍ରରେ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ।
ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ ଯେ, ବିକଶିତ ଓଡିଶା ନିର୍ମାଣର ପ୍ରମୁଖ ସ୍ତମ୍ଭ ହେଉଛି ଏହି BCPPER ପ୍ରୋଜେକ୍ଟ । ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ, ପ୍ରଥମ ୫ଟି ମଧ୍ୟରେ BCPPER ସ୍ଥାନିତ ହୋଇଛି। ଏହି ରିଜିଅନର ଅଭିବୃଦ୍ଧି ହେଲେ ଏ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ। ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ । ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର୍ ସୁବ୍ରମଣ୍ୟମ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରତି ଧନ୍ୟବାଦ ଜଣାଇ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ । ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ବିକଶିତ ଓଡିଶା ପାଇଁ ମଧ୍ୟ ନୀତି ଆୟୋଗ ଯୋଜନା ପ୍ରସ୍ତୁତ କରିଛି । ଆମର ଏହି ଯୋଜନା କେବଳ ଓଡିଶା ପାଇଁ ନୁହେଁ ବିକଶିତ ଭାରତ ପାଇଁ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।