AI-ଚାଳିତ ଶାସନ କ୍ଷେତ୍ରରେ ଓଡ଼ିଶାର ଅଭିନବ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ, ଭବିଷ୍ୟତ-ଉପଯୋଗୀ ଏବଂ ନାଗରିକ-କୈନ୍ଦ୍ରିକ ସହର ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ IIT କାନପୁରର ‘AIRAWAT ରିସର୍ଚ୍ଚ ଫାଉଣ୍ଡେସନ’ (ARF) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ସହଭାଗିତା ମାଧ୍ୟମରେ ରାଜ୍ୟର ସହରାଞ୍ଚଳ ପ୍ରଶାସନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ଅଧିକ ସୁଦୃଢ଼ କରାଯିବ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି ଯେ, “ଓଡ଼ିଶା ନିଜର ସହରଗୁଡ଼ିକୁ କେବଳ ସ୍ମାର୍ଟ ନୁହେଁ, ବରଂ ଅଧିକ ସମ୍ବେଦନଶୀଳ ଏବଂ ସମାବେଶୀ କରିବାକୁ ପ୍ରତିବଦ୍ଧ । ଏହି ସହଭାଗିତା AI ସହାୟତାରେ ସହରାଞ୍ଚଳ ସେବା ପ୍ରଦାନକୁ ଉନ୍ନତ କରିବ ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବ ।”

AIRAWAT ରିସର୍ଚ୍ଚ ଫାଉଣ୍ଡେସନର ସିଇଓ (CEO) ଶ୍ରୀ ଅମର ନାଥ କହିଛନ୍ତି ଯେ, ସରକାର ଏବଂ ପ୍ରତିଷ୍ଠିତ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଏଭଳି ସହଯୋଗ ଦ୍ୱାରା AI ସମାଧାନଗୁଡ଼ିକୁ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ବିକଶିତ କରାଯାଇପାରିବ । ARF ଓଡ଼ିଶାରେ ଏକ ଦୃଢ଼ ଏବଂ ଦାୟିତ୍ୱପୂର୍ଣ୍ଣ AI ବ୍ୟବସ୍ଥା ଗଠନ ପାଇଁ ପୂର୍ଣ୍ଣ ସହଯୋଗ କରିବ । ଏହି ସହଭାଗିତା ମାଧ୍ୟମରେ ARF ବିଭାଗର AI ଇନୋଭେସନ ପାର୍ଟନର ଭାବରେ କାର୍ଯ୍ୟ କରିବ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ । ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ସ୍ୱତନ୍ତ୍ର AI-PMU ପ୍ରତିଷ୍ଠା କରାଯିବ, ଯାହା AI କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ରକ୍ଷା କରିବ। ରାଜ୍ୟ ପାଇଁ ଏକ ଦୀର୍ଘକାଳୀନ AI ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ, ଯାହା ପୌରସଂସ୍ଥା (ULBs) ଗୁଡ଼ିକରେ ବୈଷୟିକ ସଂସ୍କାର ଆଣିବ.ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ AI ର ନୈତିକ ଏବଂ ସ୍ୱଚ୍ଛ ପ୍ରୟୋଗ ପାଇଁ ତାଲିମ ପ୍ରଦାନ କରାଯିବ ।

ଏହି ସହଭାଗିତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଡକ୍ଟର ସୁବ୍ରତ ବିଶ୍ୱାଳଙ୍କ ନେତୃତ୍ୱରେ ‘eGov’ ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାରବେଳ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ eGov ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ ।