ଓଡ଼ିଶା ସୂଚନା କମିଶନର ରେକର୍ଡ ସଂଖ୍ୟକ ଫଇସଲା, ଦଶ ମାସରେ ୧୨୦୦୦ ମାମଲାର ନିଷ୍ପତି

ଭୁବନେଶ୍ବର : ବିଗତ ଦଶ ମାସରେ ୧୨୯୨୮ଟି ମାମଲା ଫଇସଲା କରି ଓଡ଼ିଶା ସୂଚନା କମିଶନ ଏକ ଐତିହାସିକ ରେକର୍ଡ ହାସଲ କରିଛି। ବିଚାରାଧୀନ ମାମଲା ସଂଖ୍ୟା ୨୨୬୧୧ ରୁ ୯୬୮୩ କୁ ହ୍ରାସ ପାଇଛି । ନୂତନ ସରକାରଙ୍କ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ଏବଂ ତିନି ଜଣ ନୂତନ ସୂଚନା କମିଶନରଙ୍କ ନିଯୁକ୍ତି ପରେ ସୂଚନା କମିଶନର ଫଇସଲାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ କମିଶନ ଗୁରୁତ୍ବ ପ୍ରଦାନ କରୁଛନ୍ତି । ମାମଲାଗୁଡିକର ଦ୍ରୁତ ନିଷ୍ପତି ତଥା ଅନାବଶ୍ୟକ ସ୍ଥଗିତତା ଏଡାଇବା ଉପରେ ମଧ୍ୟ କମିଶନ ଧ୍ୟାନ ଦେଉଛି । ୨୦୨୧ ଏବଂ ୨୦୨୨ ବର୍ଷର ସମସ୍ତ ବିଚାରାଧୀନ ମାମଲାର ଫଇସଲା ହୋଇଥିବାବେଳେ ୨୦୨୩ ଏବଂ ୨୦୨୪ ବର୍ଷର ଅଳ୍ପ କିଛି ମାମଲା ଫଇସଲା ହେବାକୁ ବାକି ଅଛି । କମିଶନ ଏବେ ୨୦୨୫ ଏବଂ ୨୦୨୬ ରେ ଦାଖଲ ହୋଇଥିବା ନୂତନ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କମିଶନ ପ୍ରତ୍ୟେକ ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ସାର୍ବଜନୀନ କରିବା ପାଇଁ ଓଡ଼ିଶା ଲୋକସେବା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି । ସଫଳ ଏବଂ ବିଫଳ ପ୍ରାର୍ଥୀମାନଙ୍କୁ ଦକ୍ଷତା ପରୀକ୍ଷା ଏବଂ କମ୍ପ୍ୟୁଟର ପରୀକ୍ଷା ମାର୍କ ପ୍ରଦାନ କରିବାକୁ ଓଡ଼ିଶା କର୍ମଚାରୀ ଚୟନ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ କ୍ଷେତ୍ରରେ ଜନସୂଚନା ଅଧିକାରୀମାନେ ସୂଚନା ଉପଲବ୍ଧ ନ ଥିବା ଦର୍ଶାଇ ଆବେଦନକାରୀଙ୍କୁ ସୂଚନା ଦେବାରୁ ବଞ୍ଚିତ କରୁଥିଲେ । କମିଶନ ଏହାକୁ ଗମ୍ଭୀର ଭାବରେ ବିଚାର କରି ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିଛନ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଅଭ୍ୟାସଗତ ଆବେଦନକାରୀ ନକଲି ବିପିଏଲ୍ କାର୍ଡ ବ୍ୟବହାର କରି ସରକାରଙ୍କଠାରୁ ମାଗଣାରେ ସୂଚନା ଦାବି କରୁଥିଲେ ତଥା ଶହ ଶହ ଆବେଦନ ଦାଖଲ କରି ସରକାରଙ୍କୁ ହଇରାଣ କରୁଥିଲେ । କମିଶନ ଏପରି ମାମଲାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ମାମଲାରେ ଯେଉଁଠାରେ ବଲାଙ୍ଗୀରର ଜଣେ ବ୍ୟକ୍ତି ସୂଚନା ଅଧିକାର ଆବେଦନ ପ୍ରତ୍ୟାହାର କରିବା ପାଇଁ ପିଆଇଓଙ୍କଠାରୁ ଲାଞ୍ଚ ମାଗୁଥିବାର ଜଣାପଡ଼ିଥିଲା, ତାହାକୁ ତଦନ୍ତ ପାଇଁ ପୋଲିସକୁ ପଠାଯାଇଛି । ସୂଚନା ଯୋଗାଣରେ ଅହେତୁକ ବିଳମ୍ବ ପାଇଁ କମିଶନ ଦୋଷୀ ଅଧିକାରୀମାନଙ୍କ ଉପରେ 1,47,76,250/- ଟଙ୍କା ଜରିମାନା ଲଗାଇଛନ୍ତି । ଏକ ସାମ୍ପ୍ରତିକ ମାମଲାରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡା ସୂଚନା ଅଧିକାର ଆଇନ ଉଲ୍ଲଂଘନ ପାଇଁ ଗଞ୍ଜାମ ଜିଲ୍ଲାର ପୋଲିସ ଅଧିକାରୀଙ୍କ ଉପରେ 25,000/- ଟଙ୍କା ଜରିମାନା ଲଗାଇଛନ୍ତି । ସମାନ ବିଷୟ ଉପରେ ଏକାଧିକ ଆବେଦନ ମାଧ୍ୟମରେ ଦାଖଲ ହେଉଥିବା ଆରଟିଆଇ ଆବେଦନଗୁଡ଼ିକୁ ତନଖି କରିବା ପାଇଁ କମିଶନ ଆବେଦନଗୁଡ଼ିକର ଯାଞ୍ଚ ମଧ୍ୟ ଆରମ୍ଭ କରିଛନ୍ତି । ନିୟମିତ କର୍ମଚାରୀ ଅଭାବ ସତ୍ତ୍ୱେ କମିଶନ ପ୍ରତି ମାସରେ 1500 ମାମଲା ସମାଧାନ କରୁଛନ୍ତି । ପ୍ରତି ମାସରେ ଆବେଦନକାରୀଙ୍କ ଦ୍ଵାରା ହାରାହାରି 500 ମାମଲା ଦାଖଲ ହେଉଛି । କମିଶନଙ୍କ ନିଷ୍ପତିର ଅଭିଯୋଗଗୁଡିକର ନିରୀକ୍ଷଣ ନିମନ୍ତେ କମିଶନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହା ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ବିହିତ କାର୍ୟନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଉଛି ।