ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜନଶୁଣାଣୀ

ସମ୍ବଲପୁର : ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଆଜି ସମ୍ବଲପୁର ର ଜିଲ୍ଲାପରିଷଦ ର ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଜନଶୁଣାଣୀ ସମ୍ବଲପୁର, ବରଗଡ, ଝାରସୁଗୁଡା ଜିଲ୍ଲାକୁ ନେଇ ଆୟୋଜିତ ହୋଇଯାଇଛି । କମିଶନଙ୍କ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ହୋଇଥିଲା ।
ମୋଟ ୪୯ଟି ମାମଲାର ବିଚାର କରାଯାଇଥିଲା । ମହିଳାମାନଙ୍କୁ ସ୍ଥାନୀୟ ସ୍ତରରେ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଶୁଣାଣୀରେ ମୋଟ ୦୬ଟି ମାମଲାର ସଫଳ ଆପୋଷ ସମାଧାନ କରାଯାଇଛି । ୦୬ଟି ମାମଲାକୁ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP)ଙ୍କୁ ଆୟୋଗ ପକ୍ଷରୁ ସୁପାରିଶ କରାଯାଇଛି । ଗୋଟିଏ ମାମଲାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ ହସ୍ତାନ୍ତର କରାଯାଇଥିବା ବେଳେ, ଅସହଯୋଗ କାରଣରୁ ୦୯ଟି ମାମଲାକୁ ବନ୍ଦ କରାଯାଇଛି, କମିଶନଙ୍କ ନିକଟରେ ୧୧ଟି ନୂତନ ମାମଲା ପଞ୍ଜିକୃତ ହୋଇଛି ଏବଂ ୦୮ ମାମଲାରେ ନୋଟିସ ଜାରିକରାଯାଇଛି ।
ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ କମିଶନ ଏଭଳି ଶୁଣାଣୀ ଜରିଆରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରୁଛନ୍ତି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରକାଶ କରିଛନ୍ତି । ମାମଲା ଗୁଡିକର ଉପସ୍ଥାପନା ଓ ଶୁଣାଣି ପାଇଁ ମହିଳାମାନଙ୍କୁ ଏକ ନିଶୁକ୍ଳ ପ୍ଲାଟଫର୍ମ ଯୋଗାଇବା ଲକ୍ଷ୍ୟରେ ଏହି ଶୁଣାଣୀ ଅନୁଷ୍ଠିତ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ ।ମହିଳାମାନେ ମୋବାଇଲ ଆପ ମାଧ୍ୟମରେ ଅଭିଯୋଗ ପଞ୍ଜୀକୃତ କରିପାରିବେ ବୋଲି କହିଥିଲେ । ମହିଳା ଆୟୋଗର ପରାମର୍ଶଦାତା ଙ୍କ ଦ୍ଵାରା ନିଶୁକ୍ଳ କାଉନ୍ସିଲିଙ୍ଗ ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ ।
ଏହି ଶୁଣାଣି ସମୟରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଙ୍କ ସମେତ କମିଶନଙ୍କ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ, ଓଡିଶା ରାଜ୍ୟ ମହିଳା ଆୟୋଗର ଆଇନଗତ ସହାୟକ ଅରବିନ୍ଦ ପଟ୍ଟନାୟକ, ଓଡିଶା ରାଜ୍ୟ ମହିଳା ଆୟୋଗର ପରାମର୍ଶଦାତା ଶ୍ରୀମତୀ ବନ୍ଦନା ପଟ୍ଟନାୟକ ଓ ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ୟ, ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜା ବେହେରା, ଏବଂ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଏବଂ ସୁରକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।