ରାଜ୍ୟରେ ଜନଗଣନା ୨୦୨୭ ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଜନଗଣନା ୨୦୨୭ ସମ୍ପୂର୍ଣ୍ଣ ନ ହେବା ଯାଏଁ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ବଦଳି ନ କରାଯିବାକୁ ନିର୍ଦ୍ଦେଶ
ସଠିକ୍ ଭାବେ ଦାୟିତ୍ଵ ସମ୍ପାଦନ ନିମନ୍ତେ ଚିଠି ଲେଖିଲେ ରାଜସ୍ୱ ସଚିବ
ଭୁବନେଶ୍ୱର, ୦୨ ଏପ୍ରିଲ୍ : ରାଜ୍ୟରେ ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ବିଭିନ୍ନ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନର ତଥା ମୁଖ୍ୟ ଜନଗଣନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି l
ଏହି ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଡିଜିଟାଲ୍ ମାଧ୍ୟମରେ ସମ୍ପନ୍ନ କରାଯିବ l ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଆବାସ ଜନଗଣନା ୧୬ ଏପ୍ରିଲ ୨୦୨୬ ଠାରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ଧରି ଅନୁଷ୍ଠିତ ହେବ । ଏହା ସହିତ ସ୍ୱ-ଗଣନା (Self Enumeration) ୧ ଏପ୍ରିଲ ୨୦୨୬ ଠାରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ୨୦୨୭ ମସିହା ଫେବୃଆରୀ ମାସରେ କରାଯିବ ।
ଉକ୍ତ ଜନଗଣନା କାର୍ଯ୍ୟର ସଫଳ ସମ୍ପାଦନ ସୁନିଶ୍ଚିତ କରିବା ପାଇଁ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବଦଳି ନ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ନଗର ନିଗମମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି l ସମସ୍ତ ଜିଲ୍ଲା ଓ ନଗର ନିଗମର ମୁଖ୍ୟ ଜନଗଣନା ଅଧିକାରୀମାନେ ଜନଗଣନା କର୍ମଚାରୀମାନଙ୍କ ପ୍ରଶିକ୍ଷଣକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବେ । ଜନଗଣନା କାର୍ଯ୍ୟରେ ନିୟୋଜିତ ମାଷ୍ଟର ଟ୍ରେନର ଓ ଫିଲ୍ଡ ଟ୍ରେନରମାନଙ୍କୁ ଜନଗଣନା କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଦଳି କରାଯିବ ନାହିଁ । ସୁପରଭାଇଜର ଓ ଏନ୍ୟୁମେରେଟର ଭାବେ ନିଯୁକ୍ତ କର୍ମଚାରୀମାନଙ୍କ ବଦଳି ସମ୍ବନ୍ଧରେ ସମ୍ପର୍କିତ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀଙ୍କ ପୂର୍ବାନୁମତି ବିନା କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ l ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ନିୟୋଜିତ ଜନଗଣନା ଅଧିକାରୀମାନଙ୍କ ବଦଳି ନିୟନ୍ତ୍ରଣ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି, ଯାହା ଜନଗଣନା କାର୍ଯ୍ୟର ସୁସମ୍ପାଦନ ସୁନିଶ୍ଚିତ କରିବ। ଜନଗଣନା କାର୍ଯ୍ୟରେ ନିଯୁକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜନଗଣନା ଆଇନ,୧୯୪୮ ଓ ଜନଗଣନା ନିୟମାବଳୀ,୧୯୯୦ ଅନୁଯାୟୀ ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସମ୍ପାଦନ କରିବେ । ଏହି ସମସ୍ତ ପଦକ୍ଷେପ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବାବେଳେ ରାଜ୍ୟ ସରକାର ଜନଗଣନା ୨୦୨୭ କାର୍ଯ୍ୟକ୍ରମର ସଫଳ ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଛନ୍ତି ।