କଂଗ୍ରେସ ପତାକା ପ୍ରତ୍ୟେକ ଗାଁ ରେ ଉତ୍ତୋଳନ କରାଯିବ

ଭୁବନେଶ୍ୱର : ବିଶୃଙ୍ଖଳା ଓ ବିଶୃଙ୍ଖଳାକାରୀଙ୍କୁ କୌଣସି ପରିସ୍ଥିତିରେ ଆଉ ବରଦାସ୍ତ କରାଯିବ ନାହିଁ । ସେମାନଙ୍କ ବିରୋଧରେ ଅତି କୋଠୋରୁ କୋଠୋରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦଳ ବଡ଼ ବ୍ୟକ୍ତି ବଡ଼ ନୁହେଁ । ଆଜି ଯେଉଁମାନେ ନିଜକୁ ବହୁ ବଡ଼ ବଡ଼ ନେତା ବୋଲି କହୁଛନ୍ତି ସେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ଆଜି ସମାଜରେ ଏହି ସ୍ଥିତିରେ ପହଞ୍ଚିଛନ୍ତି । କଂଗ୍ରେସ ଦଳ ଯୋଗୁଁ ବିଧାୟକ, ସାଂସଦ, ମନ୍ତ୍ରୀ ଇତ୍ୟାଦି ହୋଇଛନ୍ତି । ସମାଜରେ ସେମାନଙ୍କର ପରିଚୟ କଂଗ୍ରେସ ଦଳ ଦେଇଛି । କିନ୍ତୁ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି ଦଳର ଏବଂ ଦଳୀୟ ନେତୃବର୍ଗଙ୍କୁ ଗଣମାଧ୍ୟମରେ ଏବଂ ବିଭିନ୍ନ ମାଧ୍ୟମରେ ନିନ୍ଦିତ କରୁଛନ୍ତି ଏବଂ କରିବାର ପ୍ରୟାସ ଜାରି ରଖିଛନ୍ତି । ତଦ୍ୱାରା କଂଗ୍ରେସ ଦଳ ସାମୁହିକ ଭାବରେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି ଏବଂ ଜନମାନସରେ କଂଗ୍ରେସ ଦଳ ପ୍ରତି ଏକ ନୈରାଶ୍ୟ ମନୋଭାବ ଏହି ନେତୃବର୍ଗଙ୍କ ଦ୍ୱାରା ସୃଷ୍ଟି ହେଉଛି ବୋଲି ରବିବାର ଦିନ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ହାତ ସେ ହାତ ଯୋଡ଼ ଅଭିଯାନର ପ୍ରସ୍ତୁତି ବୈଠକ ରେ ଯୋଗଦେଇ କହିଛନ୍ତି । ଚେଲ୍ଲା କୁମାର କହିଲେ ଯେ ଆଜି ଯେଉଁମାନେ ଦଳ ଠାରୁ ନିଜକୁ ଡେଙ୍ଗା ଭାବୁଛନ୍ତି ୪୦ ବର୍ଷ ପୂର୍ବରୁ ସେମାନଙ୍କର ସ୍ଥିତି ଓ ସାମାଜିକ ପରିଚୟ କ’ଣ ଥିଲା ତାହା ସେମାନେ ଆତ୍ମ ସମୀକ୍ଷା କରିବା ଦରକାର । ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଦୀର୍ଘ ୨୨ ବର୍ଷର ଅତ୍ୟାଚାର ଓ କୁଶାସନ ଏବଂ କେନ୍ଦ୍ରର ଏକ ୯ ବର୍ଷର ଜନବିରୋଧି ସରକାରଙ୍କୁ ବରଖାସ୍ତ କରିବାପାଇଁ ସସସ୍ତ ରଣକୌଶଳ ଓ ପ୍ରଚେଷ୍ଟା କରାଯିବ । ଯେଉଁମାନେ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏବଂ ଏହି କାର୍ଯ୍ୟ ବାରମ୍ବାର କରିଚାଲିଛନ୍ତି ସେମାନଙ୍କର ଆଉ ନିସ୍ତାର ନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଜିଲ୍ଲା ଏବଂ ବ୍ଲକସ୍ତରର ନେତୃବର୍ଗ ଏପରିକି ରାଜ୍ୟସ୍ତରୀୟ ନେତୃବର୍ଗଙ୍କର ଆଶା, ଆଙ୍କାକ୍ଷା, ବିଶ୍ୱାସ ଓ ଭରଷାକୁ ଧୂଳିସାତ କରିବାକୁ ଦିଆଯିବ ନାହିଁ । ଆସନ୍ତା ଜାନଆରୀ ୨୬ ତାରିଖରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବୁଥ, ଗାଁ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ଜାରି ରଖାଯିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଗାଁର କଂଗ୍ରେସ କର୍ମୀ, ଜନସାଧାରଣ, ବୁଦ୍ଧିଜୀବି, କୃଷକ, ଆଦିବାସୀ, ଅନୁସୂଚିତ ଜନଜାତି ଏବଂ ବିଶେଷ କରି ମହିଳାମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବ କଂଗ୍ରେସ । କଂଗ୍ରେସ ପତାକା ପ୍ରତ୍ୟେକ ଗାଁର ଉତୋଳନ କରାଯିବ । ଓଡ଼ିଶାର ୨୨ ବର୍ଷର ବିଜେଡ଼ି ସରକାର ଏବଂ ୯ ବର୍ଷର କେନ୍ଦ୍ରର ବିଜେପି ସରକାରର ସମସ୍ତ ବିଫଳତା, ଜନମାରଣନୀତି, ପ୍ରତାରଣାକୁ ଲୋକମାନଙ୍କ ପାଖରେ ରଖାଯିବ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସଭାରେ ନେତୃବର୍ଗଙ୍କୁ ସମ୍ବୋଧିତ କରି କହିଲେ ଯେ ଓଡ଼ିଶାରେ ଯୁବକ ଯୁବତୀ ନିମ୍ନ ଆୟକାରୀ ବର୍ଗ, ଆଦିବାସୀ, ଅନୁସୂଚିତ ଜାତି, କୃଷକ, ମଧ୍ୟଆୟକାରୀ ବର୍ଗ ଆଜି ସମସ୍ତେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତ ଦେଇ ଗତି କରୁଛନ୍ତି । ଶୃଙ୍ଖଳା ବିନା ପ୍ରଗତି ସମ୍ଭବ ନୁହେଁ । ସଫଳତା କାହା ପାଖକୁ ଆସେ ନାହିଁ । ସଫଳତାକୁ ପାଇବାପାଇଁ ବହୁ କିଛି ତ୍ୟାଗ କରିବାକୁ ପଡ଼େ । ଯେଉଁମାନେ କଂଗ୍ରେସ ଡିଲ କରିଥିବା କଥା କହୁଛନ୍ତି ମୁଁ ଆଉଥରେ କହୁଛି କଂଗ୍ରେସ ଦଳର କୌଣସି ନେତୃବର୍ଗ କାହାରି ସହିତ ଡିଲ କରିନାହାନ୍ତି ବା କରନ୍ତି ନାହିଁ । କଂଗ୍ରେସର ଜିନ ସହିିତ ସେମାନେ ପରିଚିତ ନୁହନ୍ତି ବୋଧେ । ଓଡ଼ିଶାରେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆମକୁ ଲୋକଙ୍କ ପାଇଁ ପ୍ରତ୍ୟେକ ସ୍ତରରେ ସ୍ୱରଉତୋଳନ କରିବାର ଅଛି । ଆମେ ନିଜକୁ ଯେପର୍ଯ୍ୟନ୍ତ ଜନତା ଜନାଦନଙ୍କର ପ୍ରକୃତ ହିତୌଷି ଏବଂ ସେବକରୂପେ ପ୍ରତିପାଦନ କରିପାରୁ ନାହୁଁ ସେ ପର୍ଯ୍ୟନ୍ତ ଆମକୁ ଅଧିକରୁ ଅଧିକ ଶୃଙ୍ଖଳିତ ହୋଇ ପରିଶ୍ରମ କରିବାକୁ ପଡ଼ିବ । ଆଜି ହାତ ସେ ହାତ ଯୋଡ଼ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସଭାପତିମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂପାଦନ କରିବାପାଇଁ ତାଙ୍କର ମତାମତ ଦେଇଥିଲେ । ମହିଳା, ଯୁବ, ଛାତ୍ର ଓ ବିଭିନ୍ନ ପ୍ରକୋଷ୍ଠର ନେତୃବର୍ଗ ମାନେ ମଧ୍ୟ ତାଙ୍କର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶରତ ରାଉତ, ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ବନ୍ଦିତା ପରିଡ଼ା, ୟାସିର ନୱାଜ, ଭୁଜବଳ ମାଝୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ସଭାପତି ଏବଂ ବରିଷ୍ଠ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।  

Leave a Reply

Your email address will not be published. Required fields are marked *