କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ୍‌ ଓ ଖଣି

ବର୍ତ୍ତମାନ କୋଭିଡ୍‌ ମହାମାରୀ ସମୟରେ ଖଣିଜ କାରବାର ବେଶ୍‌ ପ୍ରଭାବିତ ହୋଇଛି

Share this:

ଭୁବନେଶ୍ୱର: ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ  ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ୍‌ ବ୍ଲକ୍‌ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି । ଏସବୁରେ ମୋଟ ୧୦,୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି । କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨୯ ବିଡ୍‌ ଦାଖଲର ଶେଷ ତାରିଖ ରହିଥିବାବେଳେ୨୦୨୦ ଅକ୍ଟୋବର୧୯ ତାରିଖରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷକରିବାକୁ ସ୍ଥିର ହୋଇଥିଲା । ବର୍ତ୍ତମାନ କୋଭିଡ୍‌ ମହାମାରୀ ସମୟରେ ଖଣିଜ କାରବାର ବେଶ୍‌ ପ୍ରଭାବିତ ହୋଇଛି । ଏଥି ସହିତ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି । ଯଦି ଏହି ପରିସ୍ଥିତିରେ ନିଲାମ କରାଯାଏ ତେବେ ସର୍ବାଧିକ ନିଲାମ ଡାକ ଯଥେଷ୍ଟ କମ ହେବାର ଆଶଙ୍କା ରହିଛି । ଏହି ଲିଜ୍‌ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି । ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଆବଶ୍ୟକ ନିର୍ଦ୍ଦେଶ ତୁରନ୍ତ ଦେବାକୁ ଲେଖିଅଛନ୍ତି । କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଆସିଲେ ଓ ଉପଯୁକ୍ତ ବଜାର ଅନୁକୂଳ ପରିସ୍ଥିତି ସୁଧୁରିଲେ ନିଲାମ ପ୍ରକ୍ରିୟାକୁ ଆରମ୍ଭ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ।

RELATED BY