ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଭାରତର ସଂବିଧାନ ରଚୟିତା, ମହାନ ଚିନ୍ତକ ଓ ସମାଜ ସଂସ୍କାରକ ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା । ସମାନତା, ନ୍ୟାୟ ଓ ମାନବିକ ଅଧିକାର ପାଇଁ ତାଙ୍କ ଅବଦାନ ଅସାଧାରଣ ଏବଂ ତାଙ୍କ ଆଦର୍ଶ ଆଜିର ସମାଜ ପାଇଁ ସଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ଆଜି ସକାଳ ୮.୩୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ଏଜି ଛକରେ ଭାରତ ରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା ।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ ।
ଏହାସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ, ବିଧାୟକ ଓ ବିଧାୟିକାମାନେ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ, ଛାତ୍ରଛାତ୍ରୀମାନେ ଏବଂ ସାଧାରଣ ଲୋକମାନେ ଯୋଗଦେଇ ଡଃ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।