ସମସ୍ତ ପୌରସଂସ୍ଥାରେ ‘ଓସୱାସ’ କାର୍ଯ୍ୟକ୍ଷମ – ଡିଜିଟାଲ ପ୍ରଶାସନରେ ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର : ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ଐତିହାସିକ ସଫଳତା ଅର୍ଜନ କରିଛି । ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍’ (ଓସୱାସ) ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି । ଏହି ପଦକ୍ଷେପ ପାରମ୍ପରିକ କାଗଜପତ୍ର ଭିତ୍ତିକ ପ୍ରଣାଳୀକୁ ପରିବର୍ତ୍ତନ କରି ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କରିଛି ।
ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଏବଂ ୬୨ଟି ବିଜ୍ଞପ୍ତିତ ଅଞ୍ଚଳ ପରିଷଦରେ ଓସୱାସ ପ୍ଲାଟଫର୍ମ ଲାଗୁ ହୋଇଛି । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍)ର ବୈଷୟିକ ସହଯୋଗ ଏବଂ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ଙ୍କ ସମର୍ଥନରେ ବିକଶିତ ଏହି ପ୍ଲାଟଫର୍ମ ସରକାରୀ ଫାଇଲ ପରିଚାଳନାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିଛି । ଏହା ମାଧ୍ୟମରେ ଫାଇଲ ଗତିବିଧିର ରିଅଲ-ଟାଇମ୍ ଟ୍ରାକିଂ, ଦ୍ରୁତ ନିଷ୍ପତ୍ତି ଏବଂ ସମୟବଦ୍ଧ ସେବା ପ୍ରଦାନ ସମ୍ଭବ ହୋଇପାରିଛି ।
ଏହି ସଂସ୍କାରର ଗୁରୁତ୍ୱ ଉଲ୍ଲେଖ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଓସୱାସ ଆମ ସହରାଞ୍ଚଳ ପ୍ରଶାସନକୁ ଆଧୁନିକ ଏବଂ ଦକ୍ଷ କରିବାରେ ଏକ ମୁଖ୍ୟ ପଦକ୍ଷେପ । ଏହା ଦ୍ୱାରା ସ୍ୱଚ୍ଛତା, କ୍ଷିପ୍ରତା ଓ ଉତ୍ତରଦାୟିତ୍ୱ ବଢ଼ିବା ସହ ନାଗରିକ ସେବାର ଗୁଣତ୍ତ୍ୱ ଉନ୍ନତ ହେବ ।”
ପୂର୍ବରୁ ପୌର ପ୍ରଶାସନରେ ମାନୁଆଲ ଫାଇଲ ପରିଚାଳନା ଓ ଅସମନ୍ୱିତ କାର୍ଯ୍ୟଧାରା ଦ୍ୱାରା ବିଳମ୍ବ ଓ ଅକ୍ଷମତା ଦେଖାଯାଉଥିଲା । ଓସୱାସ ଏହି ସମସ୍ୟାର ସମାଧାନ କରି ଏକ ମାନକ ପ୍ରଣାଳୀ, ଡିଜିଟାଲ ଅଡିଟ୍ ଟ୍ରେଲ୍ ଏବଂ ସ୍ୱୟଂଚାଳିତ କାର୍ଯ୍ୟଧାରାକୁ ପ୍ରଚଳିତ କରିଛି, ଯାହା ଶାସନରେ ଶୃଙ୍ଖଳା ଓ ସ୍ୱଚ୍ଛତା ଆଣିଛି ।
ଏହି ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥିଲା-ପ୍ରଥମେ ପ୍ରକ୍ରିୟା ଅଧ୍ୟୟନ, ପରେ ସିଷ୍ଟମ ଡିଜାଇନ୍, କ୍ଷମତା ବୃଦ୍ଧି ତାଲିମ ଏବଂ ପାଇଲଟ୍ ପରୀକ୍ଷା । ଏହାପରେ ରାଜ୍ୟବ୍ୟାପୀ ରୋଲଆଉଟ୍ ମାଧ୍ୟମରେ ସମସ୍ତ ପୌରସଂସ୍ଥାରେ ସଫଳ ଭାବେ ଏହାକୁ ଲାଗୁ କରାଯାଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି, “ଓସୱାସ କେବଳ ଏକ ଆଇଟି ପ୍ଲାଟଫର୍ମ ନୁହେଁ, ଏହା ଏକ ବ୍ୟାପକ ପ୍ରଶାସନିକ ସଂସ୍କାର । ଏହା ରିଅଲ-ଟାଇମ୍ ମନିଟରିଂ ଓ ତଥ୍ୟଭିତ୍ତିକ ନିଷ୍ପତ୍ତିକୁ ସମ୍ଭବ କରି ସେବା ପ୍ରଦାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ ।”
ଓସୱାସର ରିଅଲ-ଟାଇମ୍ ଡ୍ୟାସବୋର୍ଡ ମାଧ୍ୟମରେ ଫାଇଲର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି, ଯାହା ପ୍ରଶାସନିକ ବିଳମ୍ବକୁ କମାଇବା ସହ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିଛି ।
ଏହି ସଂସ୍କାର ଫଳରେ ଶୀଘ୍ର ଫାଇଲ ନିଷ୍ପତ୍ତି, ସ୍ୱଚ୍ଛ ପ୍ରଶାସନ, ଦସ୍ତାବିଜର ସହଜ ଉପଲବ୍ଧତା ଏବଂ ଏକ ଶକ୍ତିଶାଳୀ ଡିଜିଟାଲ ଶାସନ ଭିତ୍ତିଭୂମି ସ୍ଥାପିତ ହୋଇଛି । ଏହା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିଛି ।
ନିକଟରେ ଗଠିତ ନୂତନ ପୌରସଂସ୍ଥା ବ୍ୟତୀତ ଅନ୍ୟ ସମସ୍ତ ପୌରସଂସ୍ଥାରେ ଓସୱାସ କାର୍ଯ୍ୟକ୍ଷମ ହେବା ସହିତ, ଓଡ଼ିଶା ଡିଜିଟାଲ ଶାସନ ସଂସ୍କାରରେ ଦେଶ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି । ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ସାଧନରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।