ଓଡ଼ିଆ ଜାତିକୁ ଏକ ସୁଦୃଢ଼ ପରିଚୟ ଦେଇଥିଲେ

ଭୁବନେଶ୍ୱର : ଓଡ଼ିଆ ଜାତିର ଏକତା, ସ୍ୱାଭିମାନ ଓ ସମଗ୍ରିକ ଉନ୍ନତି ପାଇଁ ଅସାଧାରଣ ଅବଦାନ ରଖିଥିବା ମହାନ ଦୂରଦର୍ଶୀ ଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଦର୍ଶ ଓ କୃତି ଆଜିବି ସମାଜ ପାଇଁ ପଥପ୍ରଦର୍ଶକ ଭାବେ ରହିଛି ।

ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର ଯୁଗ୍ମ ଆନୁକୂଲ୍ୟରେ ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ, ବ୍ରହ୍ମପୁର ଡ. ପ୍ରଦୀପ ପାଣିଗ୍ରାହୀ ମହାରାଜାଙ୍କ ଜୀବନଦର୍ଶନ ଓ ଓଡ଼ିଶା ଗଠନରେ ତାଙ୍କର ଅଦ୍ୱିତୀୟ ଭୂମିକା ବିଷୟରେ ଆଲୋକ ପାତ କରିଥିଲେ । ସେ କହିଥିଲେ ଯେ ମହାରାଜାଙ୍କ ଦୂରଦର୍ଶିତା ଓ ନେତୃତ୍ୱ ଓଡ଼ିଆ ଜାତିକୁ ଏକ ସୁଦୃଢ଼ ପରିଚୟ ଦେଇଥିଲା ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛତ୍ରପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ ତ୍ରିପାଠୀ ମହାରାଜାଙ୍କ ଜୀବନୀ, କୃତି ଓ ଇତିହାସିକ ଅବଦାନକୁ ଉଲ୍ଲେଖ କରି କହିଥିଲେ ଯେ ତାଙ୍କର ଆଦର୍ଶ ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପାରଳା ଗଜପତି ବିକାଶ ମଞ୍ଚର ସଭାପତି ଶ୍ରୀ ଦିଗ୍‌ବିଜୟ ନାଥ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ମହାରାଜାଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ୨୬ ଓ ୨୭ ଏପ୍ରିଲ ଦୁଇ ଦିନ ଧରି ଚାଲିବ ଏବଂ ଛାତ୍ରଛାତ୍ରୀ, ଗବେଷକ ଓ ଆଗ୍ରହୀ ସାଧାରଣ ଲୋକମାନେ ଏହାକୁ ଅନୁଭବ କରିପାରିବେ । ପ୍ରଦର୍ଶନୀରେ ମହାରାଜାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନ ଏବଂ ସମାଜ ଓ ଶିକ୍ଷାକ୍ଷେତ୍ରରେ ତାଙ୍କର କାର୍ଯ୍ୟକଳାପକୁ ଚିତ୍ରମାଧ୍ୟମରେ ସୁନ୍ଦର ଭାବେ ପ୍ରତିପାଦିତ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ତାଙ୍କ ଜୀବନ ଓ କୃତି ସମ୍ପର୍କରେ ଗଭୀର ଧାରଣା ପ୍ରଦାନ କରିଥିଲା ।

ସେହିପରି “ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ : ଜୀବନୀ ଏବଂ କୃତି” ଶୀର୍ଷକ ପୁସ୍ତକର ଉନ୍ମୋଚନ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ଏହି ପୁସ୍ତକଟିକୁ ବିଶିଷ୍ଟ ଐତିହାସିକ, ଗବେଷକ ଓ ଶିକ୍ଷାବିତ୍ ପ୍ରଫେସର ଡଃ ରାମଚନ୍ଦ୍ର ମିଶ୍ର ରଚନା କରିଛନ୍ତି ।

ପରେ ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର କଳାକାରମାନଙ୍କ ଦ୍ୱାରା ମହାରାଜାଙ୍କ ଜୀବନୀକୁ ଆଧାର କରି ଓଡ଼ିଶୀ ନୃତ୍ୟ, ଭକ୍ତି ସଂଗୀତ ଓ ସୁଗମ ସଂଗୀତ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଓ କର୍ମଚାରୀମାନେ, ପାରଳା ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜକିଶୋର ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।