ଝାରସୁଗୁଡ଼ାରେ ବେଆଇନ ପାଉଁଶ ଫିଙ୍ଗିବା ଉପରେ ରୋକ ଲଗାଇବାକୁ ଜିଲ୍ଲାପାଳ ଙ୍କୁ ବିଧାୟକଙ୍କ ଚିଠି,୨୪*୭ ଟାସ୍କ ଫୋର୍ସ ଗଠନ ପାଇଁ ଦାବି
ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ବେଆଇନ ପାଉଁଶ ଫିଙ୍ଗା (Illegal Ash Dumping) କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଏହି ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ଏକ ୨୪*୭ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ସେ ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, କିଛି ଅସାମାଜିକ ପରିବହନକାରୀ ଏବଂ କାରଖାନା ମାଲିକଙ୍କ ମଧୁଚନ୍ଦ୍ରିକାରେ ବିଳମ୍ବିତ ରାତିରେ ଜନବସତି ଓ ପରିଧି ଅଞ୍ଚଳରେ ବେଆଇନ ଭାବେ ପାଉଁଶ ଫିଙ୍ଗା ଯାଉଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡୁଛି । ବିଶେଷ କରି ବାୟୁ ଏବଂ ମୃତ୍ତିକାର ଗୁଣବତ୍ତା ନଷ୍ଟ ହେଉଥିବା ବେଳେ ସାଧାରଣ ନାଗରିକଙ୍କ ଜୀବନଜୀବିକା ବିପଦରେ ପଡିଛି ।ପ୍ରଦୂଷଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପ୍ରତିନିଧିମାନଙ୍କୁ ନେଇ ଏକ ୨୪-ଘଣ୍ଟିଆ ଟାସ୍କ ଫୋର୍ସ ଗଠନ କରାଯାଉ । ବିଭିନ୍ନ ସନ୍ଦେହଜନକ ସ୍ଥାନ ଏବଂ ପରିବହନ ରୁଟ୍ରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ଚଢ଼ାଉ କରାଯାଉ । ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପରିବହନକାରୀ ଓ କାରଖାନା ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଉ, ଯାହାଦ୍ୱାରା ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ । ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଏବଂ କଠୋର ପଦକ୍ଷେପ ନେବାକୁ ବିଧାୟକ ତ୍ରିପାଠୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି, ଯାହାଦ୍ୱାରା ଝାରସୁଗୁଡ଼ାର ପରିବେଶ ସୁରକ୍ଷିତ ରହିପାରିବ ଓ ଜନସାଧାରଣ ସୁରକ୍ଷିତ ରହି ପାରିବେ ।