୩୦ରୁ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଂଶୋଧନ(ଏସଆଇଆର)SIR

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ’ ସମୟରେ ବି ଏଲ ଓ ମାନେ ଘରକୁ ଘର ବୁଲି ସର୍ଭେପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସୋସିଆଲ ମିଡିଆରେ ଏସ ଆଇ ଆର କୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ ଏହି ଆଭାସୀ ବୈଠକରେ ଚେତାବନୀ ଦିଆଯାଇଛି ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା କିମ୍ବା ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ । କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ ।

ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ କୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ । ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ( ଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ (Book a call) କରିପାରିବେ ।

ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ ସମସ୍ତ ଜିଲ୍ଲାର ମିଡ଼ିଆ ସେଲ, ସୋସିଆଲ ମିଡ଼ିଆ ସେଲ ର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଡେ଼ପୁଟି ସିଇଓ ଡ଼.ଲଷ୍ମୀପ୍ରସାଦ ସାହୁ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।