ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ କବି କୃଷ୍ଣ ସିଂହଙ୍କୁ “ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ” ପ୍ରଦାନ

ବର୍ଷୀୟାନ୍ ଭୂଦାନ ନେତା କୃଷ୍ଣ ସିଂହଙ୍କ ଆତ୍ମଜୀବନୀ “ମୋ ଜୀବନ ମୋ ଉପାସନା” ଉନ୍ମୋଚିତ

Share this:

ଅନଗୁଳ : ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ୧୧୯ତମ ଜୟନ୍ତୀ ଉତ୍ସବ ଅନଗୁଳସ୍ଥିତ ବାଜିରାଉତ ଛାତ୍ରାବାସରେ ପାଳନ ହୋଇଯାଇଛି । ଏହି ଉତ୍ସବରେ ଯୋଗଦାନ କରି ବିଶିଷ୍ଟ କବି ଓ ସମାଲୋଚକ ଶ୍ରୀଯୁକ୍ତ ହରପ୍ରସାଦ ଦାସ କହିଲେ “ସର୍ବୋଦୟ ହିଁ ସମାଜବାଦର ଆଧ୍ୟାତ୍ମ ।” “ନବକୃଷ୍ଣ ଚୌଧୁରୀ ଜଣେ ଦୂରଦ୍ରଷ୍ଟା ଚିନ୍ତକ ଥିଲେ, ତାଙ୍କ ବିଷୟରେ ଯେତିକି ଗବେଷଣା ହେବା କଥା ସେତିକି ହୋଇପାରିନାହିଁ ।” ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ ବ୍ୟକ୍ତିତ୍ୱର ବହୁମୁଖୀ ପ୍ରତୀଭା ବିଶ୍ଳେଷଣ କରି କବି ଶ୍ରୀ ଦାସ ତାଙ୍କୁ ଜଣେ ମହାନ ଜନନାୟକ ବୋଲି ଅବିହିତ କରିଥିଲେ । ଉତ୍କଳ ନବ ଜୀବନ ମଣ୍ଡଳ, ବାଜିରାଉତ ଛାତ୍ରାବାସ ଓ ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଏହି ଜନ୍ମୋତ୍ସବରେ ବର୍ଷିୟାନ ଭୂଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ କବି ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ “ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ” ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ କୃଷ୍ଣ ସିଂହଙ୍କର ଆତ୍ମଜୀବନୀ “ମୋ ଜୀବନ ମୋ ଉପାସନା” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେଇ ତାଙ୍କ ଜୀବନ ପଥରେ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଦେବୀ ଚୌଧୁରୀଙ୍କ ପ୍ରେରଣା ଏକାନ୍ତ ଉଲ୍ଲେଖଯୋଗ୍ୟ ଥିଲା ବୋଲି ସେ କହିଥିଲେ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କୋରାପୁଟ ଆଦିବାସୀ ଅଞ୍ଚଳରେ ସାରାଜୀବନ କର୍ମଯୋଗୀର ଜୀବନ ଅତିବାହିତ କରିଥିଲେ । ନବକୃଷ୍ଣ ଚୌଧୁରୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସ୍ମରଣ କରି ଶ୍ରୀଯୁକ୍ତ ସିଂହ ଭାବପ୍ରବଣ ହୋଇ କହିଥିଲେ, “ସେ ଥିଲେ ଓଡ଼ିଆ ଜାତିର ଅସ୍ମିତା ଏବଂ କର୍ମଯୋଗୀ, ନିଷ୍ଠା ଓ ନୀତିବାନ ମହାପୁରୁଷ ।” ଯାହାଙ୍କର ଆଦର୍ଶକୁ ପାଥେୟ କରି କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୁଁ ଭୂଦାନ ଆନ୍ଦୋଳନକୁ ଏକ ଉଚ୍ଚତର ଶିଖରରେ ପହଞ୍ଚାଇପାରିଥିଲି । ଅନ୍ୟତମ ଅତିଥି ବରିଷ୍ଠ କଥାଶିଳ୍ପୀ କୃପାସାଗର ସାହୁ “ମୋ ଜୀବନ ମୋ ଉପାସନା” ଜୀବନୀ ଗ୍ରନ୍ଥର ସମୀକ୍ଷା କରି କହିଲେ, “କୋରାପୁଟ ଭୂଦାନ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ନେତା ଏବଂ “କୋରାପୁଟ ଗାନ୍ଧୀ”ଭାବେ ସୁ-ପରିଚିତ ଶ୍ରୀଯୁକ୍ତ କୃଷ୍ଣ ସିଂହ ଜଣେ ବହୁମୂଖୀ ପ୍ରତୀଭାର ଅଧିକାରୀ । ସେ ଏକାଧାରରେ ଜଣେ ଜନନାୟକ, ଶିକ୍ଷାବିତ୍‌, କବି, ପ୍ରାବନ୍ଧିକ ଓ ସମାଜସେବୀ । “ମୋ ଜୀବନ ମୋ ଉପାସନା” ଜୀବନୀ ଗ୍ରନ୍ଥ ତାଙ୍କ ଦୀର୍ଘ ଜୀବନ ଯାତ୍ରାର କାହାଣୀ, ଯାହା ଯୁଗଯୁଗ ଧରି ଆଗାମୀ ପିଢ଼ୀକୁ ପ୍ରେରଣା ଯୋଗାଇବ ।” ଏହି ଉତ୍ସବରେ ସଭାପତିତ୍ୱ କରି ପ୍ରଫେସର କୁମୁଦଚନ୍ଦ୍ର ଦାଶ ନବବାବୁଙ୍କ ସାଂସ୍କୃତିକ ବ୍ୟକ୍ତିତ୍ୱ ବିଷୟରେ ତର୍ଜମା କରିଥିଲେ । ଏହି ଉତ୍ସବ ଆରମ୍ଭ ପୂର୍ବରୁ ଅତିଥିମାନେ ସ୍ମୃତିପୀଠରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସମାଜସେବୀ ସ୍ୱର୍ଗତ ଶୈଳ ଅପା ଏବଂ ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଶୀଲାଲଙ୍କ ସହଧର୍ମିଣୀଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଉତ୍ସବରେ ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ-ସଭାପତି ଶ୍ରୀ ଶାନ୍ତନୁ କୁମାର ସର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଶିବରାମ ମିଶ୍ର ମାନପତ୍ର ପାଠ କରିଥିଲେ । ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ତଥା ବାଜିରାଉତ ଛାତ୍ରାବାସର ଅଧ୍ୟକ୍ଷା ଶ୍ରୀମତୀ କ୍ରିଷ୍ଣା ମହାନ୍ତି ଉପଢୌକନ ଦେଇ ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ସମ୍ମାନିତ କରିଥିଲେ । କୁମାରୀ ଲିପି ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ଶେଷରେ କ୍ଷୁଦ୍ରନାଟକ ପରିବେଷଣ କରି ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦକ ଶ୍ରୀ ମୁରଲୀଧର ମୁଳିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବାଜିରାଉତ ଛାତ୍ରାବାସର ସମ୍ପାଦକ ଭାବଗ୍ରାହୀ ନାୟକ, ବିଶିଷ୍ଟ ପ୍ରାବନ୍ଧିକା ଡ.ଝାନସୀ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

RELATED BY