ଲଇକେରା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ, ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ
ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ବୁଧୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାପକ ସମାବେଶରେ ସହ ସହ ସଂଖ୍ୟାରେ ସ୍ଥାନୀୟ ମହିଳା ଓ ଗୁରୁଜନମାନେ ସାମିଲ ହୋଇଥିଲେ । ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟଣ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଗାଁ ଗଠନ ସଂକଳ୍ପ ମାଧ୍ୟମରେ ହିଁ ବିକଶିତ ଓଡ଼ିଶା ର ସ୍ୱପ୍ନ ସାକାର ହେବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରଗତିଶୀଳ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯୋଗ୍ୟ ପରିବାରଙ୍କୁ ବାସଗୃହ, ସାମାଜିକ ସୁରକ୍ଷା ଭତ୍ତା ଏବଂ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି। ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଅଙ୍ଗନବାଡ଼ି ଦିଦିମାନଙ୍କୁ ସ୍ମାର୍ଟଫୋନ୍ ମଧ୍ୟ ବଣ୍ଟନ କରାଯାଇଛି । ବିଧାୟକ ତ୍ରିପାଠୀ କାର୍ଯ୍ୟକ୍ରମ ରେ ଭାଜପା ସରକାର ଆସିବା ପରଠାରୁ ହୋଇଥିବା ବିକାଶମୂଳକ କାର୍ଯ୍ୟର ସବିଶେଷ ହିସାବ ସମସ୍ତଙ୍କ ସମ୍ମୁଖରେ ରଖିଥିଲେ । ସେ କହିଛନ୍ତି ଯେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରୀକ ବିକାଶ, ବିଶୁଦ୍ଧ ପାନୀୟ ଜଳ, ଗମନାଗମନ, ରୋଜଗାର ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଲଇକେରା ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଧାୟକ ତ୍ରିପାଠୀ ଅଞ୍ଚଳବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ‘ଏକ ପେଡ଼ ମା କେ ନାମ ଯୋଜନା ଅଧୀନ ରେ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।