ଜ୍ୟୋତିର୍ମୟୀଙ୍କ ସଫଳତା ଆମ ରାଜ୍ୟର ନାରୀଶକ୍ତିର ସାମର୍ଥ୍ୟର ଉଦାହରଣ

ଭୁବନେଶ୍ୱର : ‘ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୧୬ର ବିଜୟିନୀ ତଥା ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକ ଆଜି ଲୋକସେବା ଭବନସ୍ଥିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାର୍ଯ୍ୟାଳୟରେ ତାଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଜ୍ୟୋତିର୍ମୟୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ତାଙ୍କର ଏହି ଜାତୀୟ ସ୍ତରର ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜ୍ୟୋତିର୍ମୟୀଙ୍କ ଏହି ଅଦ୍ୱିତୀୟ ସଫଳତା ଆମ ରାଜ୍ୟର ନାରୀଶକ୍ତିଙ୍କ ସାମର୍ଥ୍ୟ, ପ୍ରତିଭା ଓ ଅଦମ୍ୟ ସଂକଳ୍ପର ଏକ ଉଜ୍ଜ୍ୱଳ ଉଦାହରଣ । ସେ କହିଛନ୍ତି, “ଜ୍ୟୋତିର୍ମୟୀଙ୍କ ସଫଳତା କେବଳ ସଙ୍ଗୀତ ଜଗତ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ।” ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭା ନିଜର କଠିନ ପରିଶ୍ରମ ଓ ସାଧନା ବଳରେ କିପରି ସମଗ୍ର ଦେଶରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିପାରିବେ, ତାହା ସେ ପ୍ରମାଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର କନ୍ୟା ଜ୍ୟୋତିର୍ମୟୀ ନାୟକ ସୋନି ଏଣ୍ଟରଟେନମେଣ୍ଟ୍‌ ଟେଲିଭିଜନର ଜନପ୍ରିୟ ରିୟାଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍-୧୬’ରେ ବିଜେତା ହୋଇ ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନଜନକ ଟ୍ରଫି ହାସଲ କରିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି ।

ଶେଷରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଜ୍ୟୋତିର୍ମୟୀ ଆଗାମୀ ଦିନରେ ସଙ୍ଗୀତ କ୍ଷେତ୍ରରେ ଆହୁରି ଅନେକ ସଫଳତା ହାସଲ କରନ୍ତୁ ଏବଂ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ ହୋଇ ରହନ୍ତୁ, ଏହି କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।