କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ

ଭୁବନେଶ୍ୱର : ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି । ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ନିୟାମକ ଅନୁପାଳନର କଡ଼ାକଡ଼ି ପ୍ରବର୍ତ୍ତନ, ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ଉତ୍ତରଦାୟିତ୍ୱ ଏବଂ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ତଥା ଅନ୍ୟାନ୍ୟ ନିୟାମକ ବ୍ୟବସ୍ଥାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନେଇ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହାଇବ୍ରିଡ ମୋଡ୍‌ରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସ୍ୱଚ୍ଛ ଭାରତ ମିଶନ-ଅର୍ବାନର ସ୍ୱତନ୍ତ୍ର ସଚିବ ତଥା ମିଶନ ଡାଇରେକ୍ଟର, ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର, ଏସପିସିବିର ବରିଷ୍ଠ ଅଧିକାରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପରିମଳ ଟିମ୍‌ର ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ସହ ସମନ୍ୱୟ ରକ୍ଷା କରି ରାଜ୍ୟର ବିଦ୍ୟମାନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀତି, ରଣନୀତି ଓ ବାଇ-ଲ’କୁ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି । ଏହା ମାଧ୍ୟମରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)ଗୁଡ଼ିକରେ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ, ପରିବହନ, ପ୍ରକ୍ରିୟାକରଣ ଓ ନିୟମ ଅନୁପାଳନ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରାଯିବ ।

ଉତ୍ସରୁ ବାଧ୍ୟତାମୂଳକ ଚାରି-ସ୍ତରୀୟ ବର୍ଜ୍ୟ ପୃଥକୀକରଣ ଓ ପୃଥକ ସଂଗ୍ରହ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୭୩ଟି ୟୁଏଲବିରେ ସାନିଟାରୀ ଏବଂ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ବର୍ଜ୍ୟ ପାଇଁ ପୃଥକ ସଂଗ୍ରହ ବ୍ୟବସ୍ଥା ସଂଯୋଜିତ ହୋଇଥିବା ବେଳେ ଅବଶିଷ୍ଟ ୟୁଏଲବିଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରି ପୃଥକୀକୃତ ବର୍ଜ୍ୟର ଉପଯୁକ୍ତ ସଂଗ୍ରହ ଓ ପରିଚାଳନା ସୁନିଶ୍ଚିତ କରିବାକୁ କୁହାଯାଇଛି ।

ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଓ ଅନୁପାଳନ ଉପରେ ମଧ୍ୟ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୋର୍ଟାଲରେ ବଲ୍କ ୱେଷ୍ଟ ଜେନେରେଟରମାନଙ୍କର ବ୍ୟବସ୍ଥିତ ଗଣନା, ବର୍ଗୀକରଣ ଓ ପଞ୍ଜୀକରଣ କରାଯିବ । ନିୟମ ଅନୁଯାୟୀ ସେମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଡ଼ିବ । ଯେଉଁମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାରେ ଅସମର୍ଥ, ସେମାନଙ୍କୁ ସ୍ଥାନୀୟ ପ୍ରଶାସନକୁ ବର୍ଜ୍ୟ ହସ୍ତାନ୍ତର ପୂର୍ବରୁ ସମ୍ପୃକ୍ତ ୟୁଏଲବି ଠାରୁ ‘ଏକ୍ସଟେଣ୍ଡେଡ୍ ବଲ୍କ ୱେଷ୍ଟ ଜେନେରେଟର୍ସ ରେସପନସିବିଲିଟି’ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ । ଏହି ବ୍ୟବସ୍ଥାର ବୈଷୟିକ ମାର୍ଗଦର୍ଶନ ପାଇଁ ୟୁଏଲବିଗୁଡ଼ିକ ସହ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକଙ୍କୁ ଅନୁରୋଧ କରାଯାଇଛି ।

ନିୟମାବଳୀର ତଦାରଖ ଓ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରିବା ପାଇଁ ପରିବେଶ (ସୁରକ୍ଷା) ଆଇନ, ୧୯୮୬ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଛି । ନିୟମ ଉଲ୍ଲଂଘନକାରୀ ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ନିୟମିତ ତଦାରଖ ପାଇଁ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର ‘ସ୍ପେଶାଲ ସେଲ୍’ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକତା ଅନୁଯାୟୀ ଭର୍ଚୁଆଲ ଯାଞ୍ଚ କରିବା ସହ ପାକ୍ଷିକ ଅନୁପାଳନ ରିପୋର୍ଟ ନିର୍ଦ୍ଧାରିତ ରାଜ୍ୟ ସଚିବମାନଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି ।

ଭୁବନେଶ୍ୱରରେ ବର୍ଜ୍ୟ ପରିଚାଳନାକୁ ଅଧିକ ପ୍ରଭାବୀ କରିବା ଉପରେ ମଧ୍ୟ ବୈଠକରେ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଥିଲା । ବିଏମସି ଅଧୀନସ୍ଥ ସମସ୍ତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି)ର କ୍ଷମତାର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ପାଇଁ ବର୍ଜ୍ୟର ସମାନ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି । ସହରର ବର୍ଜ୍ୟର ବୈଜ୍ଞାନିକ ପରିଚାଳନା ସହ ସୈନିକ ସ୍କୁଲ ଟିଟିଏସ୍‌ରେ ସଂଗୃହୀତ ବର୍ଜ୍ୟର ସମାଧାନ ପାଇଁ ଏକ ସ୍ପଷ୍ଟ ଓ ସମୟବଦ୍ଧ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀ, ଯଥା ଟୋକେଇବାଲା ଓ ରାଗ୍ ପିକର୍‌ମାନଙ୍କୁ ଆନୁଷ୍ଠାନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାରେ ସାମିଲ କରିବାକୁ ମଧ୍ୟ ୟୁଏଲବିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ଅନୁଯାୟୀ ଏହି ପଦକ୍ଷେପ ମାଧ୍ୟମରେ ବର୍ଜ୍ୟ ସଂଗ୍ରହ ଓ ପୁନରୁଦ୍ଧାର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଏହି କ୍ଷେତ୍ରରେ ସେମାନଙ୍କ ଅବଦାନକୁ ଆନୁଷ୍ଠାନିକ ସ୍ୱୀକୃତି ଦିଆଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୯୦୬ ଜଣ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ‘ସ୍ୱଚ୍ଛ କର୍ମୀ’ ଭାବେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଛି ।

ଶେଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ସମସ୍ତ ନିଷ୍ପତ୍ତିକୁ ସମନ୍ୱିତ, ସମୟସୀମାବଦ୍ଧ ଓ ଫଳାଫଳମୁଖୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ରସ୍ତରରେ ନିୟମର କଡ଼ାକଡ଼ି ଅନୁପାଳନ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଦୃଢ଼ ପ୍ରବର୍ତ୍ତନ ଏବଂ ଉତ୍ତରଦାୟୀ ଓ ସ୍ଥାୟୀ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଗଠନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।