ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ
୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ
କଟକ : ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି ।
ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ । ଏହି ଅଭିଯାନରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଓଡ଼ିଶାର ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି ।
ବର୍ତ୍ତମାନ ସମୟରେ ସାଇବର ଅପରାଧର ବିଭିନ୍ନ ନୂଆ ରୂପ ସାମ୍ନାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅନଲାଇନ୍ ଠକେଇ, ବ୍ଲାକମେଲିଂ ଏବଂ ବିଭିନ୍ନ ପ୍ରକାର ଡିଜିଟାଲ୍ ଶୋଷଣର ଶିକାର ହେଉଛନ୍ତି । ଏପରିକି କେତେକ କ୍ଷେତ୍ରରେ ଅଜାଣତରେ ନିଜର ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ରକୁ ସାଇବର ଅପରାଧୀଙ୍କ ଦ୍ୱାରା ଅପବ୍ୟବହାର ପାଇଁ ଉପଲବ୍ଧ କରାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ସାଇବର ବିପଦ ସମ୍ପର୍କରେ ସଚେତନ କରିବା, ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କୁ ନିଜ ପରିବାର ଓ ସମାଜରେ ‘ସାଇବର ସଚେତନତାର ଦୂତ’ ଭାବେ ଗଢ଼ି ତୋଳିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା ।
ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶା ଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସାଇବର ସଚେତନତାର ଦୂତ ହେବାକୁ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ସାଇବର ଆର୍ଥିକ ଠକେଇ ଘଟିଲେ ‘ଗୋଲ୍ଡେନ୍ ଆୱାର’ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ବିଶେଷ ଭାବେ ସଚେତନ କରାଯାଇଥିଲା । କୌଣସି ବ୍ୟକ୍ତି ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ cybercrime.gov.in ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଠକେଇର ଶିକାର ହେବା ପରେ ଯେତେ ଶୀଘ୍ର ଅଭିଯୋଗ କରାଯିବ, ଠକେଇ ହୋଇଥିବା ଅର୍ଥକୁ ରୋକିବା ଏବଂ ତାହାର ପୁନରୁଦ୍ଧାରର ସମ୍ଭାବନା ସେତେ ଅଧିକ ରହିଥାଏ ।
ସଚେତନତା କାର୍ଯ୍ୟକ୍ରମରେ ସ୍ପଷ୍ଟ କରାଯାଇଥିଲା ଯେ କୌଣସି ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ କିମ୍ବା ପୋଲିସ ଅଧିକାରୀ OTP, PIN, CVV କିମ୍ବା ପାସୱାର୍ଡ ମାଗନ୍ତି ନାହିଁ । ତେଣୁ ଏଭଳି ସୂଚନା କେବେବି କାହା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି, ‘ଡିଜିଟାଲ୍ ଆରେଷ୍ଟ’ ନାମରେ କେହି ଟଙ୍କା ଦାବି କଲେ ତାହା ଠକେଇ ବୋଲି ବୁଝି ତୁରନ୍ତ ୧୯୩୦ରେ ଯୋଗାଯୋଗ କରିବାକୁ ସଚେତନ କରାଯାଇଥିଲା । ଟଙ୍କା ପାଇଁ ନିଜ ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ର ଅନ୍ୟ କାହାକୁ ପ୍ରଦାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।
ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ବ୍ଲାକମେଲିଂ କିମ୍ବା ଡିଜିଟାଲ୍ ଶୋଷଣର ଶିକାର ହେଲେ ଭୟଭୀତ ନହୋଇ କୌଣସି ପରିସ୍ଥିତିରେ ଟଙ୍କା ନଦେବାକୁ ପରାମର୍ଶ ଦିଆଯାଇଥିଲା । ଏଭଳି ଘଟଣା ଘଟିଲେ ତୁରନ୍ତ ନିଜ ଅଭିଭାବକ, ଶିକ୍ଷକ କିମ୍ବା ପୋଲିସକୁ ଜଣାଇବା ସହ ଆବଶ୍ୟକ ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖିବାକୁ କୁହାଯାଇଥିଲା ।
ଏହି ବୃହତ୍ ରାଜ୍ୟବ୍ୟାପୀ ଅଭିଯାନ ମାଧ୍ୟମରେ ସାଇବର ଅପରାଧ ବିରୋଧରେ ସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏକ ସୁରକ୍ଷିତ ଓ ଦାୟିତ୍ୱବାନ ଡିଜିଟାଲ୍ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା । “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ସୁରକ୍ଷିତ ଓଡ଼ିଶା” ବାର୍ତ୍ତା ସହ ଏହି ବୃହତ୍ତମ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନର ସଫଳ ସମାପନ ହୋଇଥିଲା ।
କାର୍ଯ୍ୟକ୍ରମରେ କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡ. ଏନ୍. ତିରୁମାଳା ନାଏକ, ଡିଆଇଜି, କ୍ରାଇମବ୍ରାଞ୍ଚ ଶ୍ରୀ ବି. ଗଙ୍ଗାଧର, ଡିଆଇଜି, କ୍ରାଇମବ୍ରାଞ୍ଚ ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ପୋଲିସ ଓ ଶିକ୍ଷା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।