୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀ ହେବେ ପ୍ରଶିକ୍ଷିତ


ଭୁବନେଶ୍ୱର : ଓଡ଼ିଶାର ସମବାୟ କ୍ଷେତ୍ରକୁ ଅଧିକ ଆଧୁନିକ, ପ୍ରଯୁକ୍ତିନିର୍ଭର, ସ୍ୱଚ୍ଛ, ଦକ୍ଷ ଓ ଆତ୍ମନିର୍ଭର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଲୋକସେବା ଭବନସ୍ଥିତ ଷ୍ଟେଟ କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ନିଜ Authorized Learning Centre (ALC)ରୁ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଦ୍ୱାରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ୫,୪୨୨ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ପ୍ରତ୍ୟେକ ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ଦୁଇଜଣ ଅଧିକାରୀଙ୍କୁ ଏଥିରେ ସାମିଲ କରାଯାଉଛି । ପ୍ରଶିକ୍ଷଣ ପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ଏବଂ ଆଜିଠାରୁ ପ୍ରଶିକ୍ଷଣର ଔପଚାରିକ ଶୁଭାରମ୍ଭ ହୋଇଛି ।
ରାଜ୍ୟବ୍ୟାପୀ ୫୪୦ଟି OKCL ଅଧିକୃତ ଶିକ୍ଷା କେନ୍ଦ୍ର (ALC) ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ଅଞ୍ଚଳ ନିକଟସ୍ଥ ALCରୁ ପ୍ରଶିକ୍ଷଣ ଗ୍ରହଣ କରିପାରିବେ । ବର୍ତ୍ତମାନ ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସର National Level PACS Software (NLPS)/ERP ଆଧାରିତ ଡିଜିଟାଲ୍ ରୂପାନ୍ତରଣ, ନିବନ୍ଧକ, ସମବାୟ ସମିତିଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସମବାୟ କାର୍ଯ୍ୟାଳୟର ରେକର୍ଡ ଡିଜିଟାଇଜେସନ୍ ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି ।
ଏହି ପରିପ୍ରେକ୍ଷୀରେ OS-CIT ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀମାନଙ୍କୁ ମୌଳିକ କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ୍ କାର୍ଯ୍ୟପ୍ରଣାଳୀ ଓ IT ଉପକରଣର ବ୍ୟବହାରରେ ଦକ୍ଷ କରିବା, ଯାହା ଫଳରେ ସମବାୟ ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ଦକ୍ଷ ହୋଇପାରିବ । OS-CIT ପାଠ୍ୟକ୍ରମରେ NLPS ERP ସମ୍ପର୍କିତ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ମଧ୍ୟ ରହିଛି । ଏହା ମାଧ୍ୟମରେ ପ୍ୟାକ୍ସ ଅଧିକାରୀମାନେ ଭବିଷ୍ୟତରେ ବ୍ୟବହାର କରିବାକୁ ଥିବା ERP ପରିବେଶ ସମ୍ପର୍କରେ ପ୍ରାଥମିକ ଜ୍ଞାନ ହାସଲ କରିପାରିବେ ।
୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀଙ୍କୁ ନେଇ ଏପରି ବୃହତ୍ ପରିସରର ଡିଜିଟାଲ୍ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଭାରତରେ କୌଣସି ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଥମ ପଦକ୍ଷେପ ଭାବେ ଗୁରୁତ୍ୱ ବହନ କରୁଛି । ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମଡେଲ୍ ହୋଇପାରିବ । ଏହି ଅଭିଜ୍ଞତା ଆଧାରରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ବୃହତ୍ ଡିଜିଟାଲ୍ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆରମ୍ଭ କରିବାର ପଥ ପ୍ରଶସ୍ତ ହେବ । ଏହି ଅବସରରେ କମିଶନର-ତଥା-ସଚିବ, ସମବାୟ ବିଭାଗ ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS; ସମବାୟ ସମିତିର ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ, IAS; ସମବାୟ ସମିତିର ଅତରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ ଓ OKCLର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଲଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଯୁକ୍ତିରୁ ଦକ୍ଷତା, ଦକ୍ଷତାରୁ ସଶକ୍ତିକରଣ, ସଶକ୍ତ ସମବାୟରୁ ସଶକ୍ତ ଚାଷୀ—ଏହା ହେଉଛି ଆମର ଲକ୍ଷ୍ୟ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।