ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ : ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଶ୍ରୀ ବିନୟତୋଷ ମିଶ୍ର, ଆଇପିଏସ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା । ପରେ ଡିଜିପି ଶ୍ରୀ ମିଶ୍ର ଶହିଦ ସ୍ମୃତିସ୍ତମ୍ଭ ଠାରେ ମାଲ୍ୟାର୍ପଣ କରି ଶହିଦଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ଵ ତୁଲାଉଥିବା ବେଳେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ସମ୍ଭାଳିବେ । ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ମିଶ୍ର ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଏକ ଗୁରୁ ଦାୟିତ୍ୱ ବୋଲି ପ୍ରକାଶ କରି ଏହାକୁ ନିଷ୍ଠାର ସହ ସମ୍ପାଦନ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି ସେ କହିଥିଲେ ।

ପ୍ରାୟ ଦୁଇ ବର୍ଷ ଧରି ଡିଜିପି, କ୍ରାଇମ୍ ବ୍ରାଞ୍ଚ ଭାବେ କାର୍ଯ୍ୟ କରି ଅପରାଧ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ନିରନ୍ତର ପ୍ରୟାସ କରାଯାଇଥିବା ସେ କହିଥିଲେ । ନାରୀ ସୁରକ୍ଷା, ସଂଗଠିତ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ପ୍ରାୟ ୬୦ ହଜାର ପୋଲିସ କର୍ମଚାରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ଡିଜିପି ଶ୍ରୀ ମିଶ୍ର କହିଥିଲେ । ଲୋକମାନେ ଯେପରି ନିର୍ଭୟ ଓ ଆନନ୍ଦର ସହ ପର୍ବପର୍ବାଣୀ ପାଳନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ସେ କହିଥିଲେ ।

ଓଡ଼ିଶା ପୋଲିସର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ୱବୋଧର ସହ କର୍ତ୍ତବ୍ୟ ସମ୍ପାଦନ କରିବା ସହ ସାଧାରଣ ଲୋକଙ୍କ ସୁରକ୍ଷା ଓ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଡିଜିପି ଶ୍ରୀ ମିଶ୍ର କହିଥିଲେ । ପୋଲିସ କେବଳ ଏକ ଚାକିରି ନୁହେଁ, ଏହା ଏକ ମହତ୍ ସେବା ବୋଲି ଉଲ୍ଲେଖ କରି ଆଗାମୀ ଦିନରେ ଜନସାଧାରଣଙ୍କ ବିଶ୍ଵାସଭାଜନ ହେବାକୁ ସେ ଆହ୍ଵାନ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ୧୯୯୩ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ମିଶ୍ର ବିହାର ରାଜ୍ୟର ମୂଳବାସିନ୍ଦା ଅଟନ୍ତି । ତାଙ୍କର ଚାକିରି କାଳ ମଧ୍ୟରେ ସେ ବାଲେଶ୍ଵର, ତାଳଚେର, କଟକ, ବ୍ରହ୍ମପୁର, ଯାଜପୁର, କ୍ରାଇମବ୍ରାଞ୍ଚ ଆଦି ବିଭିନ୍ନ ସ୍ଥାନରେ ଏସଡିପିଓ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ ଡିଆଇଜି ଭାବେ ଅତିରିକ୍ତ ପରିବହନ କମିଶନର (ଏନଫୋର୍ସମେଣ୍ଟ,କଟକ), ଅଗ୍ନିଶମ ସେବା ଏବଂ ଗୃହରକ୍ଷୀ, ଗୁଇନ୍ଦା (ଓଡ଼ିଶା, କଟକ) ଏବଂ ସିଆଇଏସଏଫ (ବୋକାରୋ) ରେ କାର୍ଯ୍ୟ କରିଥିଲେ ।

ସେହିପରି ଆଇ.ଜି.ପି ଭାବେ ସିଆଇଏସଏଫ (ମୁଖ୍ୟାଳୟ, ଚେନ୍ନାଇ), ଆଇଜିପି (ରେଳବାଇ, ଓଡ଼ିଶା, କଟକ) ଏବଂ ଆଇ.ଜି.ପି (ପୂର୍ବାଞ୍ଚଳ, ବାଲେଶ୍ଵର) ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ନିର୍ଦ୍ଦେଶକ (ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ) ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ)ରେ ସଫଳତାର ସହ କାର୍ଯ୍ୟ କରିଥିଲେ । ପରେ ୨୦୨୫ ମସିହା ଜାନୁଆରୀ ୧ ତାରିଖରୁ ସେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟରତ ଅଛନ୍ତି ।

 ଡିଜିପି ଶ୍ରୀ ମିଶ୍ର ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବିଭାଗର  ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।