ବ୍ରିଜ ଭାରତ ସମ୍ମିଳନୀ ୨୦୨୬ରେ ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ୱର : କେବଳ ଆଇନ ଗତ ଅନୁପାଳନ ମଧ୍ୟରେ ସୀମିତ ନ ରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।

ମଙ୍ଗଳବାର ଦିନ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ ୨୦୨୬ ଓ “କର୍ପୋରେଟ ସାମାଜିକ ଦାୟିତ୍ୱ: ଦେଖାଯାଉଥିବା ସମସ୍ୟା ଓ ଚ୍ୟାଲେଞ୍ଜ” ଶୀର୍ଷକ ଜାତୀୟ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କମ୍ପାନି ଆଇନ ୨୦୧୩ ଅଧୀନରେ ଭାରତର ସିଏସଆର ଢାଞ୍ଚା କର୍ପୋରେଟମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି । ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆ ଯାଇପାରୁଛି ।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଅନୁପାଳନ (Compliance) କେବେବି ସିଏସଆରର ଲକ୍ଷ୍ୟ ହେବା ଉଚିତ ନୁହେଁ । ଖର୍ଚ୍ଚ କରି ରିପୋର୍ଟ ଦେବା ପଦ୍ଧତି ଅପେକ୍ଷା ରଣନୀତିକ, ଅଂଶଗ୍ରହଣମୂଳକ ଓ ଫଳାଫଳ-କେନ୍ଦ୍ରିତ ମଡେଲକୁ ଯିବାର ଆବଶ୍ୟକତା ତଥା ବିଶ୍ୱସନୀୟ କାର୍ଯ୍ୟକାରିତା, ଅଧିକ ଗୋଷ୍ଠୀ ଅଂଶଗ୍ରହଣ ଓ ସିଏସଆର ପଦକ୍ଷେପର ମାପଯୋଗ୍ୟ ମୂଲ୍ୟାଙ୍କନର ଆବଶ୍ୟକତା ଉପରେ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।

ଇସ୍ପାତ, ବିଦ୍ୟୁତ, ଖଣି ଓ ଉତ୍ପାଦନ ଭଳି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି । ସିଏସଆର ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ପ୍ରାଥମିକତା ଦେବାକୁ ଶିଳ୍ପମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ଶିକ୍ଷାକୁ ଏକ ପ୍ରାଥମିକ କ୍ଷେତ୍ର ଭାବେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଶିକ୍ଷକଙ୍କ ଦକ୍ଷତା ବିକାଶ, ଡିଜିଟାଲ ଶିକ୍ଷା, ଛାତ୍ରବୃତ୍ତି ଓ ମେଣ୍ଟରସିପରେ ବିନିଯୋଗ ବିଶେଷ କରି ଆଦିବାସୀ ଓ ପଛୁଆ ଜିଲ୍ଲାର ପ୍ରଥମ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନକୁ ପରିବର୍ତ୍ତନ କରିପାରେ ।

ଖଣି ଓ ବୃହତ ଶିଳ୍ପ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ, ଜଳ ସୁରକ୍ଷା, ଜୀବିକା ପୁନଃସ୍ଥାପନ, ସ୍ଥାନୀୟ ନିଯୁକ୍ତି ଓ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପାଇଁ ଅଧିକ କର୍ପୋରେଟ ସହଯୋଗ ବୃଦ୍ଧି ଉପରେ ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ଓଡ଼ିଶା ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ହୋଇଥିବାରୁ ବିପର୍ଯ୍ୟୟ ହ୍ରାସ ଓ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।

ଗୋଷ୍ଠୀଗୁଡ଼ିକ କେବଳ ପ୍ରକଳ୍ପର ଲାଭାର୍ଥୀ ହେବା ଉଚିତ ନୁହେଁ, ବରଂ ସେଗୁଡ଼ିକର ଖସଡ଼ା ପ୍ରସ୍ତୁତି ଏବଂ ବଜାୟ ରଖିବାରେ ସକ୍ରିୟ ଅଂଶୀଦାର ହେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ । ସରକାର, ଶିଳ୍ପ, ଶିକ୍ଷାନୁଷ୍ଠାନ, ନାଗରିକ ସମାଜ ଓ ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଅବତାରଣା କରି କହିଥିଲେ ଯେ, କର୍ପୋରେଟ ପ୍ରଯୁକ୍ତି, ଦକ୍ଷତା, ନବସୃଜନ ଓ ସମ୍ବଳ ସାମାଜିକ ପ୍ରାଥମିକତା ସହିତ ସଂଯୁକ୍ତ ହେଲେ ସିଏସଆର ଏକ “ଉଭୟ ପକ୍ଷର ଲାଭ” ବ୍ୟବସ୍ଥା ପରିସ୍ଥିତି ସୃଷ୍ଟି କରିପାରେ। ଲାଭ, ଗୋଷ୍ଠୀ ଏବଂ ପୃଥିବୀ- ଏହି ତିନିଟି ଦିଗର ସମନ୍ୱୟ ନୀତିକୁ ସ୍ଥାୟୀ କର୍ପୋରେଟ ବିକାଶର ମାର୍ଗଦର୍ଶକ କରିବା ଉଚିତ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ ।

ଏତତବ୍ୟତୀତ ସୁପରିକଳ୍ପିତ ସିଏସଆର ପଦକ୍ଷେପଗୁଡ଼ିକ ବିକଶିତ ଓଡ଼ିଶା @୨୦୩୬ ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ @୨୦୪୭ ର ବୃହତ୍ତର ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରାଜ୍ୟପାଳ କହିଥିଲେ ।

ଏହି ଅବସରରେ ସାଂସଦ କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ସାଂସଦ ଯାଜପୁର ଡ଼. ରବୀନ୍ଦ୍ର ନାରାୟଣ ବେହେରା, ସାଧାରଣ ଉଦ୍ୟୋଗ ବିଭାଗର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦିକ୍ ଆଲାମ ଏବଂ IREDA ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ ।

ବ୍ରିଜ ଭାରତ ସମ୍ମିଳନୀ ୨୦୨୬ର ଅଧ୍ୟକ୍ଷ ଏବଂ ଆଇଆଇଏମ ନାଗପୁରର ଭିଜିଟିଙ୍ଗ ପ୍ରଫେସର ଶ୍ରୀ ଅରୁଣ କୁମାର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଫ୍ରିଡମ୍ ଏଡୁ ସର୍ଭିସ ପ୍ରାଇଭେଟ ଲିମିଟେଡର ସିଇଓ ନିଖିଲ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।