ବାରଣାସୀ । ଭୁବନେଶ୍ବର : ବାରଣାସୀଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ ଅବସରରେ ଏକ ‘ଓଡ଼ିଆ ପ୍ରବାସୀ ମିଳନ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରଣାସୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ, ସାଂସ୍କୃତିକ ବ୍ୟକ୍ତିତ୍ୱ, ପେଶାଦାର, ଅଧ୍ୟାପକ ଓ ଉଦ୍ୟୋଗୀମାନେ ଏକାଠି ହୋଇ ଓଡ଼ିଶା ସହିତ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ଯୋଗସୂତ୍ରକୁ ଆହୁରି ମଜବୁତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ, ନିୟୋଜନ ଓ ସମନ୍ୱୟ ମନ୍ତ୍ରୀ ଶ୍ରୀ ଅନିଲ ରାଜଭର; ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ (ଆଇ.ଏ.ଏସ୍.); ପଦ୍ମଶ୍ରୀ ଶ୍ରୀଭାଷ ଚନ୍ଦ୍ର ସୁପକାର; ବାରଣାସୀ ଓଡ଼ିଆ ସମାଜର ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଏବଂ ଫିକି (FICCI) ଉତ୍ତର ପ୍ରଦେଶ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରତୀକ ହୀରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
‘ଓଡ଼ିଶା ପରବ ୨୦୨୬’ର ଦ୍ଵିତୀୟ ଦିନରେ ‘ଟୁରିଜମ୍ ଇନଭେଷ୍ଟର’ ଏବଂ ‘ବିଜନେସ୍-ଟୁ-ଗଭର୍ଣ୍ଣମେଣ୍ଟ (B2G)’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହା ସରକାରୀ ପ୍ରତିନିଧି, ନିବେଶକ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଓ ପୁଞ୍ଜିନିବେଶର ସୁଯୋଗ ଆକଳନ କରିବା ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିଥିଲା ।
ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ‘ଟୁରିଜମ୍ ରୋଡ୍ ଶୋ’ରେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ପୁରୀ, କୋଣାର୍କ, ରତ୍ନଗିରି, ଉଦୟଗିରି, ଲଳିତଗିରି, ହୀରାକୁଦ, ଚିଲିକା, ଭିତରକନିକା ଏବଂ ଶିମିଳିପାଳ ଭଳି ୧୫ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଉପରେ ଆଲୋକପାତ କରାଯାଇଥିଲା । ଏହାବ୍ୟତୀତ ଇକୋ-ଟୁରିଜମ୍, ବନ୍ୟପ୍ରାଣୀ, ସାହସିକ ଓ ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ‘ମାଇସ୍’ (MICE) ପର୍ଯ୍ୟଟନର ସମ୍ଭାବନା ଏବଂ ନିବେଶକଙ୍କ ପାଇଁ ଉପଲବ୍ଧ ପ୍ରୋତ୍ସାହନ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା ।
ଏହି ଆୟୋଜନ ‘ଓଡ଼ିଶା ଭିଜନ୍ ୨୦୩୬’ ଏବଂ ‘ଓଡ଼ିଶା ଭିଜନ୍ ୨୦୪୭’ର ବ୍ୟାପକ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି, ଯେଉଁଥିରେ ପର୍ଯ୍ୟଟନକୁ ଏକ ସମୃଦ୍ଧ, ସମାବେଶୀ, ସୁସ୍ଥିର ଓ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଓଡ଼ିଶା ଗଠନର ପ୍ରମୁଖ ମାଧ୍ୟମ ଭାବେ ସ୍ଥାନ ଦିଆଯାଇଛି ।