
ଭୁବନେଶ୍ୱର:ରାଜ୍ୟର ଉତ୍ପାଦିତ ଧାନର ପ୍ରାୟ ୩୦ ପ୍ରତିଶତ ଧାନ ଚାଷୀ ଅଣ୍ଡର ରେଟ୍ରେ ବିକ୍ରି କରିବା ପରେ ସରକାର ଧାନ କିଣୁଛନ୍ତି । ଚଳିତ ବର୍ଷ ଧାନ ଅମଳ ମୁତାବକ ଆବଶ୍ୟକ ସଂଖ୍ୟକ ମଣ୍ଡି ନିର୍ଦ୍ଧାରିତ ସମୟରେ ଖୋଲାଯାଇ ନାହିଁ । ଫଳରେ ଅନେକ ଚାଷୀଙ୍କର ଟୋକନ୍ ଲାପ୍ସ ହେଲାଣି । ଚାଷୀ ତା’ର କଷ୍ଟଲବ୍ଧ ଅର୍ଥ ପାଇବା କାଠିକର ପାଠ । ମିଲରମାନଙ୍କ ଅବୈନତିକ କାରବାର, ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା, ମଣ୍ଡି ଅବ୍ୟବସ୍ଥା, କଟନି ଛଟନି, ଚାଷୀ ଶୋଷଣ ପ୍ରକ୍ରିୟା ପ୍ରତି ସରକାର ଓ ବିଭାଗୀୟ କର୍ତ୍ତୁପକ୍ଷ ଆଖି ବୁଜିଦେଇଛନ୍ତି । ଚାଷୀ ଧାନର ସର୍ବନିମ୍ନ ମୂଲ୍ୟ ପାଉନାହିଁ । ପ୍ରାୟ ସବୁ ମଣ୍ଡିରେ ୩ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟନି ଛଟନି କରାଯାଉଛି । ଧାନ ଦେବାର ୨୪ ଘଣ୍ଟା ମଧ୍ୟରେ ଚାଷୀ ପ୍ରାପ୍ୟ ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀ ଧାନ ବିକ୍ରିକରି ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ପାଉନାହିଁ । ପରିବହନ ଖର୍ଚ୍ଚ ଓ ବସ୍ତା ସରକାରଙ୍କ ପକ୍ଷରୁ ଦେବା ପରିବର୍ତ୍ତେ ଚାଷୀକୁ ପରିବହନ ଖର୍ଚ୍ଚ ଦେବାକୁ ପଡ଼ୁଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମିଲର ଧାନ କିଣାରେ କୌଣସି ହସ୍ତକ୍ଷେପ କରିବା କଥା ନୁହେଁ । କେବଳ ଧାନ ଉଠାଇବା ମିଲରର ଦାୟିତ୍ୱ । କିନ୍ତୁ ମଣ୍ଡିରେ ବର୍ତ୍ତମାନ ମିଲର ସର୍ବେସର୍ବା ଓ ସରକାରଙ୍କ ଗେହ୍ଲାପୁଅ । ସରକାର ଓ ପ୍ରଶାସନ ଜାଣିଶୁଣି ଏପରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି । ଅଦ୍ୟାବଧି ମଣ୍ଡି ସଶକ୍ତ କରାଗଲା ନାହିଁ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ଗ୍ରାମ ପଞ୍ଚାୟତରେ ଗୋଦାମ ଘର ଖୋଲା ଯିବା କଥା, କିନ୍ତୁ ବାର୍ଷିକ ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ ଗୋଦାମରେ ରଖାଯିବା ପାଇଁ ସ୍ଥିର କରାଯାଉଥିବା ବେଳେ ରାଜ୍ୟରେ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂରକ୍ଷଣ ପାଇଁ ଗୋଦାମ ଘର ରହିଛି । ଗୋଦାମ ଘର ନିର୍ମାଣ ଘୋଷଣା ପ୍ରଚାର ସର୍ବସ୍ୱ ଓ କାଗଜ କଲମରେ ସୀମାବଦ୍ଧ । ଏପରି ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ବାଧ୍ୟ ହୋଇ ଧାନ କ୍ୱିଣ୍ଟାଲ ପ୍ରତି ୧୨ଶହ ୧୩ଶହ ଟଙ୍କାରେ ବିକୁଛି । ଏହି ସବୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ପାଇଁ କିଷାନ କଂଗ୍ରେସ ଓ ପ୍ରମୁଖ ଆଞ୍ଚଳିକ କୃଷକ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିବା ସତ୍ତ୍ୱେ ସରକାରଙ୍କର ଏଥିପ୍ରତି ତିଳେମାତ୍ର ଭୃକ୍ଷେପ ନାହିଁ । ତେଣୁ ଏହାର ଆଶୁ ସମାଧାନ ଦିଗରେ ସାମ୍ବିଧାନିକ ପ୍ରକ୍ରିୟାରେ ଓଡ଼ିଶାର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କିଷାନ କଂଗ୍ରେସର ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ ଭବନରେ ରାଜ୍ୟପାଳ ପ୍ରଫେସର ଡ. ଗଣେଷୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସରକାର ତୁରନ୍ତ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ ନିର୍ଦ୍ଧାରିତ ଏମଏସପିରେ ଠିକଣା ସମୟରେ କ୍ରୟ କରିବା, ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲିବା, ଟୋକନ ବ୍ୟବସ୍ଥାକୁ ସରଳୀକରଣ, ଚାଷୀଙ୍କୁ ବସ୍ତା ବା ଅଖା ଖର୍ଚ୍ଚ ପ୍ରଦାନ କରିବା, ପ୍ରତି ମଣ୍ଡିରେ କଟନି ଛଟନି ବନ୍ଦ, ମିଲରମାନଙ୍କ ଅସାଧୁ କାର୍ଯ୍ୟ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୪ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ, ଟାର୍ଗେଟ ଅନୁଯାୟୀ ମଣ୍ଡିରୁ ଧାନ ଉଠାଇବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ନୂତନ ତ୍ରିପାଠୀ, ଅରୁଣ ଜେନା, ସଦାନନ୍ଦ ଓଝା, ସୁରେନ୍ଦ୍ର କୁମାର ପାଇକରାୟ, ମନବୋଧ ପଟେଲ, ଧ୍ରୁବ ଚରଣ ପରିଡ଼ା, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଯଦି ତୁରନ୍ତ ଏହି ସମସ୍ୟାଗୁଡ଼ିକ ପ୍ରତି ସରକାର ସମାଧାନ ପନ୍ଥା ବାହାର ନ କରନ୍ତି, ଆସନ୍ତା ୩୧ ତାରିଖରୁ ପୁନର୍ବାର ଢେଙ୍କାନାଳ ଜିଲ୍ଲାରୁ କିଷାନ କଂଗ୍ରେସର ମଣ୍ଡିଚାଲ ଅଭିଯାନ ଆରମ୍ଭ ହେବ ବୋଲି ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ ସୂଚନା ଦେଇଛନ୍ତି ।