
ଭୁବନେଶ୍ୱର : ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଜଣେ ପୋଲିସ କର୍ମଚାରୀଙ୍କ ଗୁଳି ଚୋଟରେ ମୃତ୍ୟୁ ହେବା ଘଟଣା ଏକ ଅତି ଉଦ୍ବେଗ ଜନକ ତଥା ସମ୍ବେଦନଶୀଳ ଘଟଣା । ତାଙ୍କ ମୃତ୍ୟୁରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ଏହି ଘଟଣାକୁ ନେଇ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ମଙ୍ଗଳବାର ଦିନ ପି.ସି.ସି. ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ପିସିସି ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଏହି ହତ୍ୟାକାଣ୍ଡ ପଛରେ ସାଘାଂତିକ ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି କହିବା ସହିତ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସେମାନେ କହିଛନ୍ତି ନିଜର କ୍ୟାବିନେଟ୍ ସହଯୋଗୀ ନିଜ ବିଭାଗର ପୋଲିସ କର୍ମଚାରୀଙ୍କ ଦ୍ୱାରା ହତ୍ୟା ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ଏବଂ ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କରିବା ଉଚିତ୍ । ନିଜ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ଜୀବନ ରକ୍ଷା କରିବାରେ ବିଫଳ ସରକାର ସାଧାରଣ ଜନତାଙ୍କ ସୁରକ୍ଷା କଣ ଦେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଶ୍ରୀ ପଞ୍ଚାନନ କାନୁନ୍ଗୋ ଏହି ସାମ୍ବାଦିକ ସମ୍ମିଳନୀରେ ୭ ଟି ପ୍ରଶ୍ନ ସରକାରଙ୍କୁ ପଚାରିଛନ୍ତି ଏବଂ ଆସନ୍ତା ୭ ଦିନ ଭିତରେ ଏହାର ଉତର ସରକାର ଙ୍କ ପକ୍ଷରୁ ଦାବୀ କରିଛନ୍ତି । ନବ ଦାସଙ୍କ ହତ୍ୟା କରିଥିବା ପୋଲିସ ଏ.ଏସ୍.ଆଇ ଗୋପାଳ ଦାସ କେବେ ଠୁ ମାନସିକ ରୋଗୀ ବୋଲି ଚିହ୍ନ ହେଲେ ? କେବେ ଠୁ ସେ ଚିକିତ୍ସା ହେଲେ ? କଣ କଣ ଔଷଧ ସେ ଖାଉଥିଲେ ? ସେ ଯଦି ମାନସିକ ରୋଗଗ୍ରସ୍ତ ତାଙ୍କୁ କିଏ ଏ ଏସ୍. ଆଇ ଭାବରେ ନିଯୁକ୍ତି ଦେଇଥିଲା ? ହତ୍ୟା ଘଟଣା ଘଟାଇବା ପୂର୍ବରୁ ତାଙ୍କୁ ବନ୍ଧୁକ କାହିଁକି ଓ କିଏ ଦେଇଥିଲା ? ଏହି ଘଟଣାରେ ଗୁଇନ୍ଦା ବିଭାଗର ବିଫଳତା ଦାୟୀ ନୁହନ୍ତି କି ? ଏତେ ପର୍ଯ୍ୟନ୍ତ କାହିଁକି କୌଣସି ଦୋଷୀ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ? ଏହି ସବୁ ପ୍ରଶ୍ନ ଗୁଡ଼ିକର ଉତର ସରକାରଙ୍କ ଠାରୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଏକ ପ୍ରହସନ ଏବଂ ଏହା ରାଜ୍ୟରେ ଅତୀତରେ କ୍ରାଇମ୍ ପଛର ପ୍ରକୃତ ସତ୍ୟତାକୁ ଲୋକ ଲୋଚନକୁ ଆଣିବା ପରିବର୍ତେ ତାହାକୁ ଘଣ୍ଟ ଘୋଡାଇଛି । ନବ ଦାସଙ୍କୁ ହତ୍ୟା ଘଟଣା କ୍ରାଇମ୍ ବ୍ରାଞ୍ଚ ଦ୍ୱାରା କଲେ ଏହାର ଭାଗ୍ୟ ମଧ୍ୟ ସେଇଆ ହେବ । ତେଣୁ ହାଇକୋର୍ଟର ଜଣେ ଅଧିଷ୍ଠିତ ବିଚାରପତିଙ୍କ ତତ୍ୱାବଧାନରେ ଏସ୍.ଆଇ ଟି ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଶ୍ରୀ ସୁଦର୍ଶନ ଦାସ ଦାବୀ କରିଥିଲେ ।