ଅକ୍ଟୋବର ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ ।
ନଭେମ୍ବର ୭ ଯାଏଁ ଚାଲିବ ସର୍ଭେ ।
ଜାନୁଆରୀ ୧ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଫେବୃଆରୀ ୧୦ରେ ଚୂଡ଼ାନ୍ତ ତାଲିକା ।
ଦାବି ଓ ଆପତ୍ତି ଦାଖଲ ପାଇଁ ମିଳିବ ୨୦ ଦିନର ସମୟସୀମା ।
ଭୁବନେଶ୍ୱର : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ–୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ । ଏହି ପ୍ରକ୍ରିୟା ପରେ ଆସନ୍ତା ୨୦୨୭ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ଭୋଟରମାନଙ୍କୁ ୨୦ ଦିନର ସମୟ ଦିଆଯିବ । ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ଏହି ସର୍ଭେ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ,ଗୋଟିଏ ପରିବାରର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟଦାନ କେନ୍ଦ୍ରରେ ଭୋଟ ଦେବେ ଏବଂ ଗୋଟିଏ ଅଂଚଳର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟ କେନ୍ଦ୍ରରେ ଭୋଟ ଦେଇପାରିବେ ତାହା ଏହି ସର୍ଭେ ଦ୍ୱାରା ସମ୍ଭବ ହୋଇପାରିବ । ଏହି ସର୍ଭେ ଦ୍ୱାରା ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ସମାନ ୱାର୍ଡ ଓ ବୁଥ୍ର ଭୋଟର ତାଲିକାରେ କ୍ରମାନୁସାରେ ରଖାଯିବ। ସବୁ ପରିବାର ପାଇଁ ଗୋଟିଏ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ ଏବଂ ଘରର ସମସ୍ତ ଭୋଟରଙ୍କୁ ସେହି ନମ୍ବର ସହ ଯୋଡ଼ାଯିବ ।ସମସ୍ତ ରାଜନୈତିକ ଦଳଙ୍କୁ ବୁଥ ସ୍ତରୀୟ ଏଜେଣ୍ଟ ଦେବା ପାଇଁ ଅନୁରୋଧ କରାଯାଇଛି, ତଦ୍ୱାରା ଏହି ସର୍ଭେ ଲୋକାଭିମୁଖୀ ହୋଇପାରିବ ।
ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ସୂଚନା ପ୍ରଦାନ କରିଥିଲେ ।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକା ପ୍ରସ୍ତୁତିକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ଏହି ସର୍ଭେ କରାଯିବ । ଏଥିପାଇଁ ନିୟୋଜିତ କର୍ମଚାରୀମାନେ ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ଯାଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବେ। ସର୍ଭେ ମାଧ୍ୟମରେ ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସଠିକ୍ ଭାବେ ସ୍ଥାନ ପାଇବା ଉପରେ ଗୁରୁତ୍ୱ ଦିଆଯିବ ।
ଏହି ସର୍ଭେ ଓ ପରବର୍ତ୍ତୀ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରାଯିବ । ସର୍ଭେ ପରେ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ । ଏହା ପ୍ରକାଶ ପାଇବା ପରେ ଭୋଟରମାନେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିପାରିବେ। ତାଲିକାରେ କୌଣସି ତ୍ରୁଟି, ଅସଙ୍ଗତି କିମ୍ବା ନାମ ସମ୍ପର୍କିତ ସମସ୍ୟା ଥିଲେ ନିର୍ଦ୍ଧାରିତ ୨୦ ଦିନ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ମିଳିବ। ଭୋଟର ତାଲିକାରେ ନାମ ଯୋଡ଼ିବା, ତଥ୍ୟ ସଂଶୋଧନ କରିବା କିମ୍ବା ଅଯୋଗ୍ୟ ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳ ନିମନ୍ତେ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ ।
ନାମ ଯୋଡ଼ିବା ବା ସଂଶୋଧନ ପାଇଁ ଗ୍ରାମାଞ୍ଚଳରେ ଦାବି ଫର୍ମ-୧୬, ସହରାଞ୍ଚଳରେ ଫର୍ମ-III ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VII ମାଧ୍ୟମରେ ଆବେଦନ କରିପାରିବେ।ସେହିପରି,ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳରେ ଆପତ୍ତି ଫର୍ମ-୧୭, ସହରାଞ୍ଚଳରେ ଫର୍ମ-IV ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VIII ମାଧ୍ୟମରେ ଆବେଦନ ଦାଖଲ କରିପାରିବେ ।
ଚିଠା ଭୋଟର ତାଲିକା ପ୍ରକାଶ ପରେ ଦାଖଲ ହେଇଥିବା ଦାବି ଓ ଆପତ୍ତିଗୁଡ଼ିକର ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ /ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ସ୍ତରରେ ଯାଞ୍ଚ କରାଯାଇ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହାଦ୍ୱାରା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ସମ୍ଭବ ହେବ ।
ସର୍ଭେ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ବିଭିନ୍ନ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶାକର୍ମୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ ।
ଏହି ପ୍ରକ୍ରିୟାର ସଠିକ୍ କାର୍ଯ୍ୟାନ୍ୱୟନ ଓ ନିୟମିତ ତଦାରଖ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), ବୁଥ୍ ସ୍ତରୀୟ ଅଧିକାରୀ ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ଦାୟିତ୍ୱ ନିର୍ବାହ କରିବେ ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ସମଗ୍ର ପ୍ରକ୍ରିୟାକୁ ସମାପ୍ତ କରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବା ନେଇ ସୂଚନା ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗ ର ସଚିବ ସନ୍ତୋଷ କୁମାର ଦାଶ, ଉପ ସଚିବ ଦୁର୍ଗା ଚରଣ ମୁର୍ମୁ ଉପସ୍ଥିତ ଥିଲେ ।