ଅନୁଷ୍ଠିତ ହେବ ଚାରୋଟି ପ୍ରମୁଖ ବିଷୟବସ୍ତୁକୁ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ରାଜ୍ୟର ଲକ୍ଷ୍ୟ ନିର୍ଦ୍ଧାରଣ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ଆଲେଚନା କରାଯାଇଛି । ଉଦ୍ଦିଷ୍ଟ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ, ଆନ୍ତଃ-ବିଭାଗୀୟ ସମନ୍ୱୟ ବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଖୁବ୍‌ଶୀଘ୍ର ୪ଟି ପ୍ରମୁଖ ବିଷୟବସ୍ତୁକୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଗତ ଅକ୍ଟୋବର ୮ ଓ ୯ ତାରିଖରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଜାତୀୟ ସମ୍ମିଳନୀର ନିଷ୍କର୍ଷ ଆଧାରରେ ଏହି ଲକ୍ଷ୍ୟଗୁଡ଼ିକ ସ୍ଥିର କରାଯାଇଛି । ସରକାରୀ ଯୋଜନାର ପ୍ରକୃତ ଲାଭ ଯେପରି ମହିଳା ଓ ଶିଶୁମାନଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସୁଦୃଢ଼ ମୋନିଟରିଂ, ସମୟବଦ୍ଧ ଆକ୍ସନ୍ ପ୍ଲାନ୍ ଏବଂ ଉତ୍ତରଦାୟୀ କାର୍ଯ୍ୟାନ୍ୱୟନ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ସହ ତାଳଦେଇ ଓଡ଼ିଶା ଚାରୋଟି ମୁଖ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇଛି, ଯାହା ମଧ୍ୟରେ ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ବିକାଶ, ‘ମିଶନ୍ ବାତ୍ସଲ୍ୟ’ ଅଧୀନରେ ଶିଶୁ ସୁରକ୍ଷା, ମହିଳା ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଅନ୍ତର୍ଭୁକ୍ତ। ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ବିକାଶ (ECCE) ଅଧୀନରେ ଟେକ୍-ହୋମ୍ ରାସନ୍ (THR) ଓ ରନ୍ଧା ଖାଦ୍ୟର ଗୁଣବତ୍ତା ବୃଦ୍ଧି, ‘ପୋଷଣ ଟ୍ରାକର୍’ ମାଧ୍ୟମରେ ଅନୁଧ୍ୟାନ, ଅତିଶୟ ପୁଷ୍ଟିହୀନ (SAM) ଶିଶୁଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା ପାଇଁ ପ୍ରେରଣ କରିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁ-ଅନୁକୂଳ କରି ପ୍ରାକ୍-ବିଦ୍ୟାଳୟ ଶିକ୍ଷାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଶିଶୁ ସୁରକ୍ଷା କ୍ଷେତ୍ରରେ ପରିବାର-କୈନ୍ଦ୍ରିକ ଓ ପ୍ରତିରୋଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନାଥ ଆଶ୍ରମ ବଦଳରେ ପରିବାର-ଭିତ୍ତିକ ଯତ୍ନ, ଆଶ୍ରମ ଛାଡ଼ୁଥିବା ଶିଶୁଙ୍କ ପୁନର୍ବାସ ଓ ଆଫ୍ଟରକେୟାର ସପୋର୍ଟ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ମହିଳା ସୁରକ୍ଷା ପାଇଁ ‘ୱାନ୍ ଷ୍ଟପ୍ ସେଣ୍ଟର୍’ ଓ ‘୧୮୧ ମହିଳା ହେଲ୍ପଲାଇନ୍’କୁ ଅଧିକ ସୁଦୃଢ଼ କରାଯିବ । ରାଜ୍ୟର ୧୨ଟି ଅଧିକ ବାଲ୍ୟବିବାହ ପ୍ରବଣ ଜିଲ୍ଲାରେ ସ୍ୱତନ୍ତ୍ର ସଚେତନତା ଓ ଭୁଲ୍ ଚିହ୍ନଟ ମାଧ୍ୟମରେ ବାଲ୍ୟବିବାହ ରୋକିବା ସହ କର୍ମସଂସ୍ଥାନରେ ମହିଳାଙ୍କ ସୁରକ୍ଷା ପାଇଁ ‘POSH’ ନିୟମାବଳୀ ଓ ‘SHe-Box’ ର କଡ଼ାକଡ଼ି ପାଳନ କରାଯିବ ।

ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବା ପାଇଁ କାର୍ଯ୍ୟରତ ମହିଳାଙ୍କ ପାଇଁ କ୍ରେଚ୍ (Crèches) ଓ ହଷ୍ଟେଲ୍ ଭିତ୍ତିଭୂମିର ସମ୍ପ୍ରସାରଣ, ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳ ରୂପାୟନ ଏବଂ କେନ୍ଦ୍ରର ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ସହ ଓଡ଼ିଶାର ‘ମମତା ଯୋଜନା’ର ସମନ୍ୱୟ ରକ୍ଷା କରାଯିବ । ଏହାସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ “ମହିଳା ଆର୍ଥିକ ସଶକ୍ତିକରଣ ଢାଞ୍ଚା” କାର୍ଯ୍ୟକାରୀ କରି ଶ୍ରମବଳରେ ମହିଳାଙ୍କ ଭାଗୀଦାରୀ, ରୋଜଗାର ଓ ଉଦ୍ୟୋଗିତା ଉପରେ ନଜର ରଖାଯିବ ।

ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।