ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ।
ଏହି ଅବସରରେ ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ର କର୍ତ୍ତୃପକ୍ଷ ରାଜ୍ୟପାଳ ଓ ପ୍ରଥମ ମହିଳାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ପବିତ୍ର ବିଜୟା ଦଶମୀର ଶୁଭେଚ୍ଛା ଜଣାଇଥିଲେ ।
ପିଲାମାନଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ । ଦେବୀ ଦୁର୍ଗାଙ୍କ ମହିଷାସୁର ବଧ ଏବଂ ପ୍ରଭୁ ଶ୍ରୀରାମଙ୍କ ରାବଣ ଉପରେ ବିଜୟ ଏହି ମହାନ ଆଦର୍ଶର ପ୍ରତିଫଳନ ବୋଲି ସେ କହିଥିଲେ ।
ଦେବୀ ଦୁର୍ଗାଙ୍କୁ ଶକ୍ତି, ସାହସ, କରୁଣା ଓ ନାରୀ ସଶକ୍ତୀକରଣର ପ୍ରତୀକ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଦେବୀଙ୍କ କାହାଣୀ ଆମକୁ ଶିକ୍ଷା ଦିଏ ଯେ ସତ୍ୟ, ନ୍ୟାୟ ଓ ଧର୍ମର ସର୍ବଦା ବିଜୟ ହୋଇଥାଏ । ଅନ୍ୟାୟ ଓ ଅସତ୍ୟ ବିରୋଧରେ ଦୃଢ଼ ଭାବେ ଠିଆ ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।
ପିଲାମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ବୋଲି ଅଭିହିତ କରି ରାଜ୍ୟପାଳ ସେମାନଙ୍କୁ ଦେବୀ ଦୁର୍ଗାଙ୍କ ସାହସ ଏବଂ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ ।
ପିଲାମାନଙ୍କୁ ମନ ଦେଇ ପାଠ ପଢ଼ିବା, ଶୃଙ୍ଖଳା ବଜାୟ ରଖିବା ଏବଂ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ନିଜ ନିଜର ସ୍ୱପ୍ନକୁ ସାକାର କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଜୀବନରେ ଆସୁଥିବା ବିଭିନ୍ନ ଆହ୍ୱାନର ସାହସ ଓ ଦୃଢ଼ ସଂକଳ୍ପର ସହ ମୁକାବିଲା କରିବାକୁ ମଧ୍ୟ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ପିଲାମାନଙ୍କ ସହ ବିଜୟା ଦଶମୀ ପାଳନ କରି ଆନନ୍ଦିତ ବୋଲି ପ୍ରକାଶ କରିବା ସହ ରାଜ୍ୟପାଳ ସେମାନଙ୍କ ଜୀବନରେ ସୁଖ, ସୁସ୍ୱାସ୍ଥ୍ୟ, ଜ୍ଞାନ ଓ ସଫଳତା କାମନା କରିଥିଲେ ।
