ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନର ୫ମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଓଏଲଏମ ପଦକ୍ଷେପରେ ୨୬ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି
ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ଜୀବିକା ମିଶନ (ଓଏଲଏମ) ର ୫ମ ପରିଚାଳନା କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି ଓ ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଅଧିକ ସୁଦୃଢ କରିବା ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଜୀବିକା କାର୍ଯ୍ୟକ୍ରମଗୁଡ଼ିକର ଅଧିକ ପ୍ରଭାବୀ ଓ ଫଳପ୍ରଦ କାର୍ଯ୍ୟକାରିତା, ନୂତନ ଚିନ୍ତାଧାରାର ପ୍ରୟୋଗ ଏବଂ ନିରନ୍ତର ଉନ୍ନତି ଦିଗରେ ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଯେପରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( ଏସଏମଇ ) ଭାବେ ଉନ୍ନତ ପ୍ରଦର୍ଶନ କରିପାରିବେ, ସେଥିପାଇଁ ନିରନ୍ତର ପ୍ରୟାସ କରିବା ସହ ସଫଳତା ହାସଲ କରିଥିବା ଏସଏଚଜି ଓ ଏସଏମଇ ଗୁଡ଼ିକୁ ଉଦାହରଣ ଭାବେ ନେଇ କରି ଅନ୍ୟ ଗୋଷ୍ଠୀମାନଙ୍କୁ ଉତ୍ସାହିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି ।
ଗ୍ରାମୋଦୟ ଏବଂ ପିଏମ୍-ଜନମନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳଗୁଡ଼ିକରେ ଜୀବିକା କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ସହ ପ୍ରତ୍ୟେକ ପଦକ୍ଷେପର ସଫଳତା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସମସ୍ତ ଜୀବିକା ନିର୍ବାହ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ନିୟମିତ ଅନୁଶୀଳନ କରିବାକୁ ପରାମର୍ଶ ଦେଇଥିଲେ ।
ବୈଠକର ପ୍ରାରମ୍ଭରେ ଗତ ୧୦ ସେପ୍ଟେମ୍ବର ୨୦୨୫ ରେ ଅନୁଷ୍ଠିତ ଓଏଲଏମ ର ୪ର୍ଥ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ୬ଷ୍ଠ କାର୍ଯ୍ୟନିର୍ବାହୀ କମିଟିର ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟିକୁ ଅବଗତ କରାଯାଇଥିଲା । ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ (ଜିପିଏଲଏସଏସ) ର ପଂଜୀକରଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା, ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ସିଇଓ, ମିଶନ ଶକ୍ତି ବିଭାଗଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ ମିଶନ ନିର୍ଦ୍ଦେଶିକା ତଥା ସିଇଓ ମିଶନ ଶକ୍ତି ବିଭାଗ ଡଃ. ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ । ଅଧିକରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀ ପରିବାରମାନଙ୍କୁ ଜୀବିକା ନିର୍ବାହ ମିଶନ(ଓଏଲଏମ) ଅନ୍ତର୍ଗତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା, କ୍ଲଷ୍ଟର ସ୍ତରୀୟ ଏବଂ ଗ୍ରାମପଂଚାୟତ ସ୍ତରୀୟ ଫୋରମ ଗଠନର ଅଗ୍ରଗତି, ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ରିଭଲଭିଂ ପାଣ୍ଠି ପ୍ରଦାନ, ବ୍ୟାଙ୍କ ଲିଙ୍କେଜ୍ ଧାର୍ଯ୍ୟ ଲକ୍ଷ୍ୟ ଓ ଋଣ ପ୍ରଦାନ ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବିଭିନ୍ନ ଏସଏଚଜି ପରିବାର କିପରି ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟକଳାପରୁ ସହାୟତା ପାଇଛନ୍ତି ସେ ସଂପର୍କରେ ଆଲୋକପାତ କରାଯାଇଥିଲା । ୫୦ ଲକ୍ଷରୁ (୮୪%) ଊର୍ଦ୍ଧ୍ୱ ସଦସ୍ୟ ଫାର୍ମଭିତ୍ତିକ ଜୀବିକା ନିର୍ବାହ କାର୍ଯ୍ୟ କରୁଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସେବା ଭିତ୍ତିକ ଏବଂ ୨.୩୦ ଲକ୍ଷ ଅଣକୃଷି ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି ।
ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକୁ ପୂର୍ବ ତୁଳନା ରେ ଅଧିକ ପରିମାଣର ଋଣ ସହାୟତା ମିଳୁଛି । ୨୦୨୪ମସିହାରେ ହାରାହାରି ଋଣ ପରିମାଣ ୪ଲକ୍ଷ ଟଙ୍କା ଥିବା ବେଳେ୨୦୨୬ ମସିହା ରେଏହା ବୃଦ୍ଧି ପାଇ୫.୯୬ଲକ୍ଷ ଟଙ୍କା ହୋଇଛି । ୫.୯୫ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏସ୍.ଏଚ୍.ଜି ବ୍ୟାଙ୍କ ଲିଙ୍କେଜରେ ୭୫,୧୧୬ କୋଟି ଅର୍ଥ ଋଣ ସହାୟତା ପ୍ରଦାନ କରାଯାଇଛି । ଏହା ସେମାନଙ୍କ ଜୀବିକା କାର୍ଯ୍ୟକଳାପର ସମ୍ପ୍ରସାରଣ, ଉଦ୍ୟୋଗ ବିକାଶ ଓ ଆର୍ଥିକ ସଶକ୍ତୀ କରଣରେ ସହାୟକ ହୋଇ ପାରୁଛି । ୧.୭୦ ଲକ୍ଷ ଉଦ୍ୟୋଗୀଙ୍କ ପାଇଁ ୭,୯୯୭ କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଓଡ଼ିଶା ଜୀବିକା ମିଶନ ପଦକ୍ଷେପରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବରେ ମାନ୍ୟତା ପାଇଛନ୍ତି । ଲକ୍ଷପତି ଦିଦମାନେ କୃଷିଭିତ୍ତିକ, ପ୍ରାଣୀ ପାଳନ,ଅଣ–କାଷ୍ଠ ବନ ଜାତ ଦ୍ରବ୍ୟ ଭିତ୍ତିକ ଉଦ୍ୟୋଗ ( ଏନଟିଏଫପି), ଜଳ କୃଷି, ଉତ୍ପାଦନ ଭିତ୍ତିକ ଉଦ୍ୟୋଗ, ବ୍ୟବସାୟିକ ଉଦ୍ୟୋଗ, ସେବା ଉଦ୍ୟୋଗ ଆଦି କାର୍ଯ୍ୟ କରୁଛନ୍ତି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଅଦ୍ୟାବଧି ଅର୍ଥ ମଂଜୁର ଓ ବ୍ୟୟ ସମୀକ୍ଷା କରାଯାଇଥିଲା ।
ବୈଠକରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପଞ୍ଜୀକରଣ ଓ ଲକ୍ଷ୍ୟ ହାସଲର ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୦୨୬–୨୭ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୩୭ ଲକ୍ଷ (ବାର୍ଷିକ)ଥିବା ବେଳେ ୯୬ ପ୍ରତିଶତ ସଦସ୍ୟା ପଂଜୀକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ (ବାର୍ଷିକ) ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୯୭ % ସଫଳତା ହାସଲ ହୋଇଛି ।