ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ, ଆଇଏମଡି (Director, IMD, Bhubaneswar) , ଓ ଏହାସହ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ପ୍ରଭାବିତ୬ ଜିଲ୍ଲାର {ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ,ନବରଙ୍ଗପୁର) ଜିଲ୍ଲାପାଳମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ମନ୍ତ୍ରୀ ପ୍ରସ୍ତୁତି ବୈଠକ ରେ କହିଛନ୍ତି ଯେ, ଯଦି କୌଣସି ମିଟିଂ ଆବଶ୍ୟକ ପଡ଼େ, ତେବେ ଅଧିକାରୀମାନେ ହେଡ୍‌କ୍ୱାର୍ଟରକୁ ଆସିବା ପରିବର୍ତ୍ତେ ନିଜ ନିଜ କାର୍ଯ୍ୟକ୍ଷେତ୍ରରୁ ହିଁ (ଯେଉଁଠାରେ ଅଛନ୍ତି ସେହିଠାରୁ) ବୈଠକରେ ଯୋଗଦେବାକୁ କହିଛନ୍ତି । ଜିଲ୍ଲା ସ୍ତରରେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିବାକୁ ଏବଂ କେବଳ ରିପୋର୍ଟ ଦେବା ନୁହେଁ, ବରଂ ଜିଲ୍ଲାର ଯେକୌଣସି ପ୍ରକାରର ସମସ୍ୟା କିମ୍ବା ଜରୁରୀ ସୂଚନା ସେଥିରେ ଅପ୍‌ଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଗଣମାଧ୍ୟମ ସହ ନିୟମିତ ଓ ସଠିକ୍ ଯୋଗାଯୋଗ ରଖିବାକୁ କୁହାଯାଇଛି, ଯାହାଫଳରେ ଭୁଲ୍ ସୂଚନା ବା ମିସକମ୍ୟୁନିକେସନ୍ ଏଡ଼ାଯାଇପାରିବ । ରିଲିଫ୍ ସେଣ୍ଟରଗୁଡ଼ିକରେ ଆଶ୍ରୟ ନେଉଥିବା ଲୋକମାନଙ୍କୁ ଅତିଥି ଭାବେ ଗ୍ରହଣ କରି ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଶିଶୁମାନଙ୍କ ପାଇଁ ଦୁଗ୍ଧ ଓ ଶିଶୁ ଖାଦ୍ୟର ଉପଯୁକ୍ତ ବ୍ୟବସ୍ଥା ସହ ସେମାନଙ୍କ ପ୍ରତି ଅତ୍ୟନ୍ତ ନମ୍ର ଓ ସହାନୁଭୂତିଶୀଳ ହେବାକୁ କହିଛନ୍ତି ।

ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ବାତ୍ୟା ମୁକାବିଲା, ସହାୟତା ଓ ପରିଚାଳନା କାର୍ଯ୍ୟକୁ ସୁଚାରୁରୂପେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨ ଜଣ ଉପମୁଖ୍ୟମନ୍ତ୍ରୀ ଓ ୬ ଜଣ ମନ୍ତ୍ରୀଙ୍କୁ ୮ଟି ପ୍ରମୁଖ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି । ମନୋନୀତ ମନ୍ତ୍ରୀମାନେ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶନ କରିବା ସହ ବାତ୍ୟା ପରିଚାଳନାରେ ସହଯୋଗ କରିବେ ।

ଜିଲ୍ଲାୱାରୀ ଦାୟିତ୍ୱପ୍ରାପ୍ତ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ତାଲିକା:

କୋରାପୁଟ : ଶ୍ରୀ କନକ ବର୍ଦ୍ଧନ ସିଂହଦେଓ (ଉପମୁଖ୍ୟମନ୍ତ୍ରୀ),ରାୟଗଡ଼ା: ଶ୍ରୀମତୀ ପ୍ରଭାତୀ ପରିଡ଼ା (ଉପମୁଖ୍ୟମନ୍ତ୍ରୀ),କନ୍ଧମାଳ: ଶ୍ରୀ ରବି ନାରାୟଣ ନାଏକ (ମନ୍ତ୍ରୀ),ଗଞ୍ଜାମ: ଶ୍ରୀ ବିଭୂତି ଭୂଷଣ ଜେନା (ମନ୍ତ୍ରୀ),ଗଜପତି : ଶ୍ରୀ ସୂର୍ଯ୍ୟବଂଶୀ ସୂରଜ (ମନ୍ତ୍ରୀ),ନବରଙ୍ଗପୁର : ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର (ମନ୍ତ୍ରୀ),ମାଲକାନଗିରି : ଶ୍ରୀ ନିତ୍ୟାନନ୍ଦ ଗଣ୍ଡ (ମନ୍ତ୍ରୀ),କଳାହାଣ୍ଡି : ଶ୍ରୀ ମୁକେଶ ମହାଲିଙ୍ଗ (ମନ୍ତ୍ରୀ) ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ‘ଶୂନ୍ୟ ଜୀବନହାନି’ (Zero Casualty) ଲକ୍ଷ୍ୟ ରଖି ସମସ୍ତ ଜରୁରୀକାଳୀନ ସେବାକୁ ସଜାଗ ରଖିଛନ୍ତି । ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ,ନବରଙ୍ଗପୁର ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଏହି ୬ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ହୋଇଛି ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସମେତ ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳରେ ୨୪/୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି । ଟୋଲ୍-ଫ୍ରି ନମ୍ବର,ସମେତ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ ଅଛି ।’

କଚ୍ଚାଘର, ଝୁମ୍ପଡ଼ି ଓ ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଯେଉଁ ମାଆମାନଙ୍କର ପ୍ରସବ ସମୟ ନିକଟବର୍ତ୍ତୀ ଅଛି, ସେମାନଙ୍କୁ ଚିହ୍ନଟ କରି ପୂର୍ବରୁ ନିକଟସ୍ଥ ଡାକ୍ତରଖାନା, CHC, PHC ,ମା ଗୃହ କୁ ଅଣାଯାଉଛି । ଏହାଛଡ଼ା ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା (ଗଂଜାମ, ଗଜପତି,ରାୟଗଡ଼ା,କୋରାପୁଟ, ମାଲକାନଗିରି,ନବରଙ୍ଗପୁର) କୁ ସର୍ବାଧିକ ସତର୍କ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ (ODRAF) ଏବଂ ଏନଡିଆରଏଫ୍ (NDRF) ଟିମ୍‌ଗୁଡ଼ିକୁ ବ୍ୟାପକ ଭାବେ ମୁତାବୟନ କରାଯାଇଛି । ଏହି ୬ଟି ଜିଲ୍ଲାରେ ମୋଟ୍ ୨୭ଟି ଓଡ୍ରାଫ୍ ଟିମ୍ ଏବଂ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି ।

ଗଞ୍ଜାମ ଜିଲ୍ଲା : ସର୍ବାଧିକ ପ୍ରଭାବ ଆଶଙ୍କାଥିବା ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍ ଏବଂ ୨ଟି ଏନଡିଆରଏଫ୍ ଟିମ୍ ସମେତ ମୋଟ ୧୧ଟି ଟିମ୍ ମୁତାବୟନ ହୋଇଛନ୍ତି ।ଗଜପତି ଜିଲ୍ଲା: ଏଠାରେ ୬ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୭ଟି) ପ୍ରସ୍ତୁତ ରହିଛନ୍ତି । ରାୟଗଡ଼ା ଜିଲ୍ଲା: ଏହି ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ନିୟୋଜିତ କରାଯାଇଛି । କୋରାପୁଟ ଜିଲ୍ଲା: ଏଠାରେ ମଧ୍ୟ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ମୁତାବୟନ ଅଛନ୍ତି । ମାଲକାନଗିରି ଜିଲ୍ଲା : ଏହି ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ (ମୋଟ ୪ଟି) ଓ ନବରଙ୍ଗପୁର ରେ ୩ଟି ଜରୁରୀକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାରଙ୍କ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟକୁ ଆଖିଆଗରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।

ସମୁଦ୍ରରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର ଏହି ୬ ଜିଲ୍ଲାରେ ପାହାଡ଼, ଜଳପ୍ରପାତ, ଡ୍ୟାମ୍ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।କୃଷକମାନଙ୍କୁ ପରାମର୍ଶ : ୮୦-୮୫% ପାଚିଯାଇଥିବା ଧାନ, ମକା, ମାଣ୍ଡିଆ ଓ ଅନ୍ୟାନ୍ୟ ଫସଲକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୃଷି ର ହେଲ୍ପଲାଇନ୍ ନମ୍ବର ଉପଲବ୍ଧି କରାଯାଇଛି। ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ଭାଇମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ କୁହାଯାଇଛି ।

ପାନୀୟ ଜଳର ବିଶୋଧନ (Chlorination), ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ (ସାପକାଟା ଇଞ୍ଜେକ୍ସନ, କ୍ଲୋରିନ୍ ବଟିକା) ଏବଂ ବିଦ୍ୟୁତ୍/ଯୋଗାଯୋଗ ବ୍ୟବସ୍ଥା ତ୍ୱରିତ ପୁନରୁଦ୍ଧାର ପାଇଁ ଅତିରିକ୍ତ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି ।

ବିପର୍ଯ୍ୟୟ ସମୟରେ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମୋବାଇଲ୍ ଟିମ୍ ଜରିଆରେ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବା ଓ ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ ।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ କରାଯାଇଅଛି । ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବାତ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରପୁ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।