ସ୍ୱଚ୍ଛ ଏଵଂ ଡ଼ିଜିଟାଲ୍ ପଞ୍ଜୀକରଣ ଵ୍ୟଵସ୍ଥା ଦିଗରେ ରାଜସ୍ୱ ବିଭାଗର ପ୍ରତିବଦ୍ଧତା

ଭୁବନେଶ୍ୱର : ଲୋକସେବା ଭବନଠାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଜମି ଓ ସମ୍ପତ୍ତି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦକ୍ଷ ଓ ନାଗରିକ ଅନୁକୂଳ କରିବା ଲକ୍ଷ୍ୟରେ ଜାତୀୟ ଜେନେରିକ୍ ଡକ୍ୟୁମେଣ୍ଟ ପଞ୍ଜୀକରଣ ବ୍ୟବସ୍ଥା (National Generic Document Registration System–NGDRS)ର କାର୍ଯ୍ୟକାରିତା ଓ ଆଧୁନିକୀକରଣ ସମ୍ପର୍କରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ପୁଣେର ସଫ୍ଟୱେର୍ ଡେଭଲପମେଣ୍ଟ ୟୁନିଟ୍ (SDU) ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ, ସୁଦୃଢ଼ ଏବଂ ପ୍ରଯୁକ୍ତିସମ୍ପନ୍ନ କରିବା ଦିଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱରୋପ କରିଥିଲେ । ଏହି ଆଲୋଚନାରେ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା, ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ, ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ,NGDRS ହେଉଛି ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଭୂମି ସଂସାଧନ ବିଭାଗ (Department of Land Resources) ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଜାତୀୟସ୍ତରୀୟ ପଦକ୍ଷେପ । ‘ଏକ ଦେଶ, ଏକ ପଞ୍ଜୀକରଣ’ (One Nation, One Registration)ର ଧାରଣା ଉପରେ ଆଧାରିତ ଏହି ବ୍ୟବସ୍ଥା ରାଜ୍ୟର ଆବଶ୍ୟକତା ଓ ନିୟମ ଅନୁଯାୟୀ ଏକ ବ୍ୟାପକ ଡିଜିଟାଲ୍ ପ୍ଲାଟଫର୍ମ ଯୋଗାଇଥାଏ ।
ଏହି ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅନଲାଇନ୍ରେ ଦଲିଲ୍ ପ୍ରସ୍ତୁତି, ସମ୍ପତ୍ତିର ମୂଲ୍ୟାୟନ, ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ନିର୍ଦ୍ଧାରଣ, ଦେୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପାଇଁ ନିଯୁକ୍ତି ଗ୍ରହଣ ଏବଂ ଆବେଦନର ସ୍ଥିତି ଯାଞ୍ଚ ଭଳି ସେବା ପାଇପାରିବେ । ଏହାଦ୍ୱାରା ପଞ୍ଜୀକରଣ କାର୍ଯ୍ୟାଳୟକୁ ବାରମ୍ବାର ଯିବାର ଆବଶ୍ୟକତା କମ୍ ହେବା ସହ ପ୍ରକ୍ରିୟାରେ ତ୍ରୁଟି ହ୍ରାସ ସହ ଅନାବଶ୍ୟକ ବିଳମ୍ବ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବ ।ଏହା ସହିତ, ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟଗୁଡ଼ିକରେ ଆବେଦନ ଯାଞ୍ଚ, ପରିଚୟ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା, ଦଲିଲ୍ର ଡିଜିଟାଲ୍ ଅନୁମୋଦନ, ରେକର୍ଡ ସଂରକ୍ଷଣ ଏବଂ ପଞ୍ଜୀକରଣ ପରବର୍ତ୍ତୀ ସେବାଗୁଡ଼ିକୁ ଏକ ସମନ୍ୱିତ ବ୍ୟବସ୍ଥାରେ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା ହୋଇଥିଲା । ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଡିଜିଟାଲ୍ ଡ୍ୟାସବୋର୍ଡ୍ ମାଧ୍ୟମରେ ପଞ୍ଜୀକରଣର ପ୍ରଗତି, ବିଚାରାଧୀନ ମାମଲା ଓ କାର୍ଯ୍ୟାଳୟଭିତ୍ତିକ କାର୍ଯ୍ୟଦକ୍ଷତା ଉପରେ ନଜର ରଖିପାରିବେ । ଭବିଷ୍ୟତରେ ଏହି ବ୍ୟବସ୍ଥାର ଅଧିକ ଆଧୁନିକୀକରଣ, ଉନ୍ନତ ପ୍ରଯୁକ୍ତିଭିତ୍ତିକ ସଫ୍ଟୱେର୍ ଢାଞ୍ଚା, ତଥ୍ୟ ବିଶ୍ଳେଷଣ, କୃତ୍ରିମ ବୁଦ୍ଧିମତ୍ତା (AI), ଭୌଗୋଳିକ ସୂଚନା ପ୍ରଣାଳୀ (GIS) ଏବଂ ଜମି ରେକର୍ଡ ସହ ସମନ୍ୱୟର ସମ୍ଭାବନା ଆଦି ସମ୍ପର୍କରେ ମଧ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା । ତେବେ, ଏହି ସୁବିଧାଗୁଡ଼ିକର କାର୍ଯ୍ୟକାରିତା ରାଜ୍ୟର ଆବଶ୍ୟକତା, ନୀତିଗତ ନିଷ୍ପତ୍ତି ଓ ପ୍ରଯୁକ୍ତିଗତ ପ୍ରସ୍ତୁତି ଅନୁଯାୟୀ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରୂପାୟନ ହେବ । ପ୍ରଥମ ପର୍ଯ୍ୟାୟରେ କେତୋଟି ଚୟନିତ ପଞ୍ଜୀକରଣ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଆରମ୍ଭ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଆଲୋଚନା ହୋଇଛି । ଏଥିସହିତ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଅନ୍ୟାନ୍ୟ ରାଜ୍ୟରେ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ଅନୁଧ୍ୟାନ କରାଯାଇ ଓଡ଼ିଶାରେ ଏହାର ସଫଳ ଉପଯୋଗ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟସରକାରଙ୍କ ଲକ୍ଷ୍ୟ ରହିଆସିଛି, ପ୍ରଯୁକ୍ତିର ସଫଳ ଉପଯୋଗ ମାଧ୍ୟମରେ ଜନସାଧାରଣଙ୍କୁ ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ପଞ୍ଜୀକରଣ ସେବା ପ୍ରଦାନ କରିବା ସହ ପ୍ରଶାସନକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ନାଗରିକକୈନ୍ଦ୍ରିକ କରିବା ଏବଂ ଏ ଦିଗରେ ରାଜସ୍ୱ ବିଭାଗ ନିରବଚ୍ଛିନ୍ନ ନୂତନ ସୃଜନକୁ ଗୁରୁତ୍ୱ ଦେଇ କର୍ଯ୍ୟ କରୁଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପଞ୍ଜୀକରଣ ମହାନିର୍ଦ୍ଦେଶକ ପି. ଅନ୍ୱେଷା ରେଡ୍ଡୀ, NIC, ପୁଣେର ଡେପୁଟି ଡାଇରେକ୍ଟର ଜେନେରାଲ ଶ୍ରୀ ରାଜେଶ ଭୁସାରି ଏଵଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।