ବିଧାୟକ ପ୍ରଣବ ଦାସ ମତ ରଖିବା ପୂର୍ବରୁ ଯୋଜନାର ଉଦ୍ଦେଶ୍ୟ, ଦୂରଦୃଷ୍ଟି ବିଷୟରେ ଅବଗତ ରହିବା ନିହାତି ଆବଶ୍ୟକ

: ପ୍ରଦୀପ ପୁରୋହିତ

Share this:

ଭୁବନେଶ୍ୱର:  ବିଜେଡି ନେତା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ଜରିଆରେ ମୋଦି ସରକାରଙ୍କ କୌଣସି ଯୋଜନା ଉପରେ ଟିପ୍ପଣୀ କରିବା ପୂର୍ବରୁ ଯୋଜନାର ରୂପରେଖ ଏବଂ ଉଦ୍ଦେଶ୍ୟ ସଂପର୍କରେ ସଂପୂର୍ଣ୍ଣ ଜାଣିନେବା ଉଚିତ୍ । ପିଏମ କିଷାନ ଯୋଜନା ଉପରେ ନିଜ ମତ ରଖିବା ପୂର୍ବରୁ ପ୍ରଣବ ଦାସଙ୍କୁ ଏହି ଯୋଜନାର ଉଦ୍ଦେଶ୍ୟ, ଦୂରଦୃଷ୍ଟି ବିଷୟରେ ଅବଗତ ରହିବା ନିହାତି ଆବଶ୍ୟକ । ପିଏମ କିଷାନ ଯୋଜନା କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି । ପିଏମ କିଷାନ ଯୋଜନା କାଳିଆ ଯୋଜନା ଭଳି ଦିଶାହୀନ ନୁହେଁ । କାଳିଆ ଯୋଜନାରେ କେତେ ଚାଷୀଙ୍କୁ ଟଙ୍କା କିମ୍ବା ଆର୍ଥିକ ସହାୟତା ଦିଆଯିବ, ତାହାର ଏ ଯାଏଁ କୌଣସି ସ୍ପଷ୍ଟତା ନାହିଁ । ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ପାଖାପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହା ପାଖରେ ପହଞ୍ଚିଲା ନାହିଁ । ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣା ସଦୃଶ । କାଳିଆ ଯୋଜନାର ପ୍ରହସନରେ ରାଜ୍ୟ ସରକାର ଫସିଯାଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ପଶ୍ଚିମ ଓଡିଶାରେ ଚାଷୀଙ୍କୁ ବୋନସ୍ ଦେବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଧୂଆଁବାଣ ସଦୃଶ । ପୂର୍ବରୁ ଓଡିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡିଆ ଚାଷୀ ମାଗି ନଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ନିଜେ ଭୁତ ହିତାଧିକାରୀ ତାଲିକା ତିଆରି କରି ପୋଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବି କରିଥିଲେ । ଏହା ଚାଷୀକୂଳ ପାଇଁ ଅପମାନ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ପୂର୍ବରୁ କାଳିଆ ଯୋଜନାରେ ୩.୪୧ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଭୁତ ହିତାଧିକାରୀଙ୍କୁ ୧୭୦ କୋଟି ଟଙ୍କା ଦିଆଯାଇଥିବା ସେଥିରେ ପ୍ରକାଶ ହୋଇଥିଲା । ମାତ୍ର ଭୂତ ହିତାଧିକାରୀ ଚୟନରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଥିଲେ । ମାତ୍ର ଦୁଃଖର ବିଷୟ ରାଜ୍ୟ ନିଜେ ଦେଉଥିବା ପ୍ରତିଶୃତିକୁ ରକ୍ଷା କରିନପାରି ଏବେ ୪୨ ଲକ୍ଷ ଚାଷୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି । ଓଡିଶା ସରକାରଙ୍କ କାଳିଆ ଯୋଜନା ଦିଶାହୀନ ଓ ବିନା ରଣନୀତିରେ ଆରମ୍ଭ ହୋଇଥିବା ଯୋଜନା ଅଟେ । କାଳିଆ ଯୋଜନା ଚାଷୀଙ୍କ ହିତ ପାଇଁ ନୁହେଁ ବରଂ ଶାସକ ବିଜେଡିର ନିର୍ବାଚନୀ ଥୋପ ଥିଲା ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସେହିପରି କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ରାଜ୍ୟର କୃଷିମନ୍ତ୍ରୀ ଅରୁଣ ସାହୁ ମଧ୍ୟ ପୂର୍ବରୁ କହି ଆସିଛନ୍ତି । ପ୍ରଣବ ପ୍ରକାଶ ଦାସ ଜାଣିବା ଉଚିତ୍ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ଯୋଜନା ଅନ୍ତର୍ଗତ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଓ ମଧ୍ୟବିତ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମଧ୍ୟ ପଂଜିକୃତ । ୨୦୧୯ ମସିହା ନଭେମ୍ବର ୩୦ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ଉଲ୍ଲେଖ ରହିଛି ଯେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ପଂଜିକୃତ ଚାଷୀ କେନ୍ଦ୍ର ଯୋଜନାରୁ ବାର୍ଷିକ ୬ହଜାର ଟଙ୍କା ଏବଂ କାଳିଆ ଯୋଜନା ଅନ୍ତର୍ଗତ ୨ଟି କିସ୍ତିରେ ୪ ହଜାର ଟଙ୍କା ପାଇବେ ।ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ ହେବା ଦିନଠାରୁ ଓଡିଶାର ଚାଷୀଙ୍କୁ ୩୮୩୦.୮୫ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି । ଏହି ଯୋଜନାରେ ୪୦.୫୦ ଲକ୍ଷ ଚାଷୀ ପଂଜୀକୃତ ହୋଇଛନ୍ତି, ମାତ୍ର ୨୭.୮୩ ଲକ୍ଷ ଚାଷୀ ଲାଭ ପାଇଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷ ମାର୍ଚ୍ଚ ମାସରେ  ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଂଜୀକୃତ ହୋଇଥିବା ଓଡିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍ ଚାଷୀ ଏହି ଯୋଜନାର ଲାଭ ପାଉଥିବା ପ୍ରକାଶ କରିଥିଲେ ଏବଂ ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ପ୍ରଣବ ପ୍ରକାଶ ଦାସ ଜାଣିଥିବେ ଯେ, ଓଡିଶା ସରକାରଙ୍କ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ D.O. 81/MAFEFARDHE,ତା.୦୩/୦୩/୨୦୨୧ରେ ଖୋଦ୍ ସ୍ୱୀକାର କରିଛନ୍ତି ଯେ, ପିଏମ କିଷାନ ଯୋଜନାର ଟଙ୍କା ଯୋଗ୍ୟ ଚାଷୀଙ୍କୁ ଲଟ୍ ଓପନିଂରେ ବିଳମ୍ବ, ଟ୍ରାନଜେକ୍ସନ ଫେଲୱର, ଆଧାର କାର୍ଡରେ ପଂଜିକୃତ ନାମ ଓ ଚାଷୀଙ୍କ ନାମରେ ପାର୍ଥକ୍ୟ, ଏଲଜିଡି କୋଡ୍‌ରେ ତୃଟି ତଥା ବ୍ୟାଙ୍କ ସହିତ ଜଡିତ ଅନ୍ୟ କାରନ ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କୁ ପଇସା ପହଞ୍ଚି ପାରୁନାହିଁ । ପ୍ରଣବ ପ୍ରକାଶ ଦାସ ବିଭାଗୀୟ ମନ୍ତ୍ରୀ ତଥା ଅଧିକାରିଙ୍କ ସହ ଆଲୋଚନା କରି ସମସ୍ତ ତୃଟିକୁ ସୁଧାରନ୍ତୁ । ଏହା ଦ୍ୱାରା ରାଜ୍ୟର ପିଏମ କିଷାନ ଯୋଜନା ଅନ୍ତର୍ଗତ ପଂଜିକୃତ ହୋଇଥିବା ୪୦.୫୦ ଲକ୍ଷ ଚାଷୀ ସଂପୂର୍ଣ୍ଣ ଲାଭ ପାଇପାରିବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଚାଷୀଙ୍କ ହିତକୁ ଦୃଷ୍ଟରେ ରଖି କିମ୍ବା ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଜଣେ ଜନପ୍ରତିନିଧି ଭାବରେ ପ୍ରଣବ ଦାସ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ଗ୍ରହଣ କରନ୍ତୁ ଏବଂ ତୃଟି ସୁଧାରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

RELATED BY