ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ: ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି”
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଭୟଭୀତ ନ ହୋଇ ସଚେତନ ରୁହନ୍ତୁ”
ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି; “ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ପ୍ରଶାସନ ସଜାଗ
ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ସ୍ଥିତି ଓ ଜାରି ରହିଥିବା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱେଶାଲ ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଜନଜୀବନ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ସେ ପ୍ରକାଶ କରିଛନ୍ତି । ବାତ୍ୟା ଓ ବନ୍ୟା ପ୍ରଭାବରେ ମୁଖ୍ୟତଃ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ମୋଟ ୧,୧୮,୭୩୦ ଜଣ ଜନସଂଖ୍ୟା ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଶାସନ ତତ୍ପରତା ପ୍ରକାଶ କରି ୭୫,୮୫୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛି । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୩୯୬ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ଏହାସହ ୮୦୭ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ୩୯୯ ଜଣ ସନ୍ତାନ ପ୍ରସବ କରିଛନ୍ତି । ୭୫,୩୮୮ ହେକ୍ଟର ଚାଷଜମି ପ୍ରଭାବିତ ହେବା ସହ ୧,୬୭୨ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦକ୍ଷିଣ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ମୋଟ ୬,୪୦୦ରୁ ଅଧିକ କର୍ମଚାରୀଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବୌଦ୍ଧ, ମାଲକାନଗିରି, ରାୟଗଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ସହରରେ ୧୦୦% ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇସାରିଛି । ସମଗ୍ର ଭାବେ ଦକ୍ଷିଣ ଓଡ଼ିଶାରେ ୯୬%ରୁ ଅଧିକ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଛି । ସହରର ଦୈନିକ ଚାହିଦା ୯୦ MLD ଥିବା ବେଳେ ବର୍ତ୍ତମାନ ୭୦ MLD ଜଳ ଯୋଗାଣ କରାଯାଉଛି ଏବଂ ଅତିରିକ୍ତ ଜଳ ଯୋଗାଣ ପାଇଁ ୨୦ଟି ୱାଟର ଟ୍ୟାଙ୍କର ନିୟୋଜିତ ଅଛନ୍ତି । ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୨,୫୭୫ଟି ନଳକୂପ ଏବଂ ୧୬୨ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ ବିଶୋଧନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ଏହାଛଡ଼ା ଲକ୍ଷାଧିକ ପାନୀୟ ଜଳ ବୋତଲ ଓ ପାଉଚ୍ ବଣ୍ଟନ କରାଯାଇଛି । ପାନୀୟ ଜଳ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଜାନିବାଲିରେ ଯୁଦ୍ଧକାଳୀନ ଭିତ୍ତିରେ ବାଲି ବନ୍ଧ ନିର୍ମାଣ କରାଯାଉଛି, ଯେଉଁଥିରେ ୧୨୦ ଜଣ ଶ୍ରମିକ ଓ ୩ଟି ପୋକ୍ଲେନ୍ ମେସିନ୍ ନିୟୋଜିତ ଅଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ଏବଂ ଏହି ବାତ୍ୟା ଓ ବର୍ଷା ପରିସ୍ଥିତିକୁ ମୁକବିଲା କରିବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ସକରାତ୍ମକ ଏବଂ ଜରୁରୀ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ଆଲର୍ଟ ଜାରି କରାଯାଇଛି ଏବଂ ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ଉପରେ କ୍ରମାଗତ ନଜର ରଖାଯାଉଛି । ତଳୁଆ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଉପକୂଳବର୍ତ୍ତୀ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିପର୍ଯ୍ୟୟ ମୁକବିଲା ବାହିନୀକୁ ପ୍ରସ୍ତୁତ ରଖାଯିବା ସହିତ ରିଲିଫ୍ କ୍ୟାମ୍ପ୍, ପାନୀୟ ଜଳ ଏବଂ ଜରୁରୀ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଉଛି । ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।