ବ୍ରହ୍ମପୁର ସାମ୍ବାଦିକ ସମ୍ମିଳନୀରେ ପିସିସି ଟିମ୍‌ର ଉଦ୍‌ବେଗ

ବ୍ରହ୍ମପୁର : ଗତ ତିନିଦିନ ହେଲା ବନ୍ୟା ପ୍ରଭାବିତ ଗଂଜାମ ଜିଲ୍ଲା ପରିଦର୍ଶନ କରି ପିସିସିର ଅନୁଧ୍ୟାନ କମିଟି ସୋମବାର ସନ୍ଧ୍ୟାରେ ବ୍ରହ୍ପୁର ଗାନ୍ଧୀ ଆଶ୍ରମ ରୋଡ଼ସ୍ଥିତ ଡିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ପିସିସି କମିଟିର ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ କହିଲେ, ସରକାର ବନ୍ୟା ପରିସ୍ଥିତି ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ମଧ୍ୟ ନୈରାଶ୍ୟଜନକ । ଚାଷୀ ଆତ୍ମହତ୍ୟା ଘଟଣା ପ୍ରମାଣ କରୁଛି ଯେ, ସରକାର ସ୍ବାଭାବିକ ଅବସ୍ଥା ଫେରାଇ ଆଣି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଚାଷୀକୂଳର ଭରସା ନାହିଁ । ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରନ୍ତୁ; ସର୍ବଦଳୀୟ ବୈଠକ ଡାକି, ଅଭିଜ୍ଞ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଡାକି ଆଲୋଚନା କରନ୍ତୁ ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ଗତ ତିନିଦିନ ହେଲା ଜିଲ୍ଲାର ଏମିତି ଗୋଟିଏ ବି ଜାଗା ନାହିଁ ଯେଉଁଠାକୁ ଯାଇନାହୁଁ । ଆମେ ଭଂଜନଗର, କବିସୂର୍ଯ୍ୟନଗର, ଦିଗପହଣ୍ଡି, ହିଂଜିଳିକାଟୁ, ଚିକିଟି ପରି ସବୁ ଅଂଚଳ ଗସ୍ତ କରିଛୁ । ଘରଗୁଡ଼ିକ ଭିତରେ ୪-୫ ଫୁଟ ପାଣି ଥିବାର ମଧ୍ୟ ଦେଖିଛୁ । ଆସ୍କା, ଭଂଜନଗରର ଏପରି କୌଣସି ବସ୍ତି ନାହିଁ ଯେଉଁଠି ଘର ଭିତରକୁ ପାଣି ପଶିନାହିଁ । ଦୁର୍ଗନ୍ଧରେ ନାକ ଫାଟିଯାଉଛି, ଅଥଚ ବ୍ଲିଚିଂ ପାଉଡର ଟିକେ ପଡ଼ିବା ବି ଦେଖିଲୁ ନାହିଁ । ଯାହା କରିଛନ୍ତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ କରିଛନ୍ତି । ସରକାର ତୁରନ୍ତ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।

ବରିଷ୍ଠ ଆଇନଜୀବୀ ତଥା ପିସିସି ପିଏସି ସଦସ୍ୟ ଶିବାନନ୍ଦ ରାୟ ଗତ ଦୁଇଦିନ ବନ୍ୟାଂଚଳ ପରିଦର୍ଶନ ସମୟରେ ଏକାଧିକ ହୃଦୟବିଦାରକ ଦୃଶ୍ୟ ଦେଖିବା ସହ ବନ୍ୟାବେଳେ ଲୋକ ଭୋଗିଥିବା କିଛି ଛାତିଥରା କାହାଣୀ ବର୍ଣ୍ଣନା କରିଥିଲେ । ଏତେବଡ଼ ବିପର୍ଯ୍ୟୟରେ ସରକାର ଲୋକଙ୍କୁ କି ସାହାଯ୍ୟ କରୁଛନ୍ତି ଆମେ ଜାଣିପାରିଲୁ ନାହିଁ । ସବୁକିଛି ନାହିଁନାହିଁରେ ଚାଲିଛି । ସରକାର ନିଜ ଉପରେ ବିଶ୍ବାସ ପ୍ରକଟ କରନ୍ତୁ, ଆମେ ମଧ୍ୟ ସହଯୋଗ କରିବାକୁ ଆସିଛୁ, ଆମକୁ ମଧ୍ୟ କନଫିଡେନ୍ସରେ ନିଅନ୍ତୁ, ପ୍ରପୀଡ଼ିତମାନଙ୍କର ଦୁଃଖ କିଛିଟା ଲାଘବ ହେବ ।

ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରି ଡିସିସି ସଭାପତି ରଶ୍ମିରଂଜନ ପଟ୍ଟନାୟକ କହିଲେ, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମେ ଦିଲ୍ଲୀ ରାଲି ଛାଡ଼ି ବନ୍ୟାଂଚଳର ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଫେରିଆସିଛୁ । ଗଂଜାମର ରମ୍ଭାଠୁ ଆରମ୍ଭ କରି ବଡ଼ମାଧବପୁର, ଚିକିଟି ରସୁଲପୁର, ବଡ଼ଡୁମୁଡ଼ା ଆଦି ଅଞ୍ଚଳ ବୁଲିଲୁ । ପିସିସିର ଏକ ପ୍ରତିନିଧି ଦଳ ଦୁଇଦିନ ହେଲା ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟ ତଦାରଖ କରୁଛନ୍ତି । ପିସିସି ଟିମ୍ ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରି ଫେରୁଛନ୍ତି । ତା’ପରେ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଆସି ରାହୁଲ ଗାନ୍ଧିଙ୍କ ତରଫରୁ ରିଲିଫ ବାଣ୍ଟିବେ । ପାଞ୍ଚଦିନ ହୋଇଗଲାଣି, ସରକାର ଏ ଯାଏ ରିଲିଫ ବାଣ୍ଟୁନାହାନ୍ତି । ଲୋକେ କ’ଣ ମରିଗଲା ପରେ ଏମାନେ ବାଣ୍ଟିବେ ବୋଲି ସେ ପ୍ରଶ୍ନ କରିଥିଲେ ।

ପୂର୍ବତନ ବିଧାୟକ ରାଘବ ପରିଡ଼ା କହିଲେ, ହଜାରହଜାର ହେକ୍ଟର ଜମିରେ ଜଳ ଚରିଯାଇଛି, ଚାଷୀକୂଳର ସର୍ବନାଶ । ଗଂଜାମର ୩୦ ଲକ୍ଷ ଲୋକଙ୍କ ଖାଦ୍ୟ ନଷ୍ଟ ହୋଇଯାଇଛି । ସରକାର ହିସାବ କରନ୍ତୁ ମୋଟ କେତେ କ୍ଷୟକ୍ଷତି ହୋଇଛି । ତାହା ନ କରି ସମୁଦ୍ରକୁ ଶଙ୍ଖ ପରି ଅତି ମାମୁଲି ସହାୟତା ଘୋଷ୍ଣା କରିବା ବୋଝ ଉପରେ ନଳିତାବିଡ଼ା ବୋଲି ସେ କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପିସିସିର ଦୁଇ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ଓ ଉଷାରାଣୀ ବେହେରା, ପିସିସି କାର୍ଯ୍ୟକାରିଣିୀ ସଭ୍ୟ ସୁଧାଂଶୁ ଦେଓ ପ୍ରମୁଖ ଯୋଗଦେଇଥିଲେ । ଡିସିସି ପକ୍ଷରୁ ଉପସଭାପତି ଅଶୋକ ପଟ୍ଟନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆୟୋଜନରେ ସହଯୋଗ କରିଥିଲେ ।