ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ
ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜସ୍ୱ ସଚିବଙ୍କ ଆବେଗପୂର୍ଣ୍ଣ ଚିଠି
ରାଜସ୍ବ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ଆମକୁ ବଦଳାଇବାକୁ ପଡିବ : ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା, ସମ୍ବେଦନଶୀଳତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସର୍ବଦା ସଚ୍ଚୋଟ ଏବଂ ନିଷ୍ଠାବାନ ରହିବାକୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଜଣାଇଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ । ନିକଟରେ ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି ବୋଲି ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ପତ୍ରରେ ସେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ଏକ ଚେତାବନୀ ଭାବେ ଗ୍ରହଣ କରି ସରକାରୀ ସେବାରେ ନୈତିକତା, ସାଧୁତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ସମସ୍ତଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପତ୍ରରେ ରାଜସ୍ୱ ସଚିବ ଉଲ୍ଲେଖ କରିଛନ୍ତି ଯେ, ସରକାରୀ ଚାକିରି କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ଏହା ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ । ଏଭଳି ଏକକ ଘଟଣାକୁ ଆଧାର କରି ସମଗ୍ର ବିଭାଗର କାର୍ଯ୍ୟଦକ୍ଷତା ଓ ଭାବମୂର୍ତ୍ତିକୁ ଆକଳନ କରିବା ଉଚିତ ନୁହେଁ । ବିଭାଗର ଅଧିକାଂଶ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ସାଧୁତା ଓ ସମର୍ପଣ ଭାବନାର ସହିତ ଜନସାଧାରଣଙ୍କ ସେବା କରୁଛନ୍ତି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଭାଗରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ନିଜେ ନୈତିକତା, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରତିବଦ୍ଧ ବୋଲି ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଦୁର୍ନୀତି ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିବା ସହ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ଏବଂ ନିଜର କର୍ତ୍ତବ୍ୟ ପାଳନରେ କୌଣସି ପ୍ରକାର ଅବହେଳା ନକରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି, ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ପରସ୍ପର ପ୍ରତି ସମ୍ମାନ, ସହଯୋଗ ଓ କର୍ତ୍ତବ୍ୟନିଷ୍ଠାର ଭାବନା ରଖିବା ସହ ଏକ ସୁସ୍ଥ ଓ ସକାରାତ୍ମକ କାର୍ଯ୍ୟପରିବେଶ ଗଠନ ଦିଗରେ ଉଦ୍ୟମ କରିବା ଆବଶ୍ୟକ । ନିଜର ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରି ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ସହ ଏକ ସ୍ୱଚ୍ଛ, ସମର୍ପିତ ଓ ଜନକୈନ୍ଦ୍ରିକ ପ୍ରଶାସନ ଗଠନ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଶେଷରେ, ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ସହ ବିଭାଗର ଗରିମା ଓ ମର୍ଯ୍ୟାଦା ବଜାୟ ରଖିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଡ. ପାଢ଼ୀ ଉଲ୍ଲେଖ କରିଛନ୍ତି । ଆମେ ବିବେକବାନ ହେବା, ଆମର ମାନବିକତାକୁ ଜାଗ୍ରତ ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ହିଁ ଆମର ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି ସେ ନିଜ ବାର୍ତ୍ତାରେ କହିଛନ୍ତି ।