ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳମାନଙ୍କ ବୈଠକ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଲୋକସେବା ଭବନରେ ଏବଂ  ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନା କରିଥିଲେ । ବୈଠକରେ ଗୃହ, ଶକ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳ ସଂପଦ, ଖାଦ୍ୟ ଯୋଗାଣ ଓ ଖଶଉଟି କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ବିଦ୍ୟାଳୟ ଓ ଗଣଶିକ୍ଷା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି, ସମବାୟ ଆଦି ବିଭାଗ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଛି ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ‘ନିଶା ମୁକ୍ତ ଭାରତ‘ ଅଭିଯାନ ଅଧୀନରେ ନିଶା ଦ୍ରବ୍ୟର ବେଆଇନ ଚାଲାଣ ରୋକିବା ଓ ସଚେତନତା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ପ୍ରତି ତିନି ମାସରେ ଥରେ ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କମିଟି ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବିପର୍ଯ୍ୟୟ ସମୟରେ ଉପକରଣଗୁଡ଼ିକର ତ୍ୱରିତ ମୁତୟନ ନିମନ୍ତେ ବାଲେଶ୍ୱର, କଟକ, ବ୍ରହ୍ମପୁର, ରାୟଗଡ଼ା ଓ ସମ୍ବଲପୁରଠାରେ ଆଞ୍ଚଳିକ କେନ୍ଦ୍ର (ରେଜିଓନାଲ ହବ୍) ନିର୍ମାଣ ଏବଂ ଅବକାରୀ ବିଭାଗର ବିଭିନ୍ନ କାର୍ଯ୍ୟାଳୟ, ଥାନା ଓ ଏନଫୋର୍ସମେଣ୍ଟ ୟୁନିଟ୍ କୋଠା ନିର୍ମାଣ ପାଇଁ ଉପଯୁକ୍ତ ସରକାରୀ ଜମି ତୁରନ୍ତ ଚିହ୍ନଟ ଓ ହସ୍ତାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ତାଲିକା ଭୁକ୍ତ କରାଯାଇଥିବା ବିଭିନ୍ନ ଜିଲ୍ଲାରେ ଗ୍ରାମ ପଞ୍ଚାୟତ ଓ ଗ୍ରାମଗୁଡ଼ିକୁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ଦ୍ୱାରା କରାଯିବାକୁ ଥିବା ବିଦ୍ୟୁତ୍‌ ସଂଯୋଗୀକରଣ ନେଇ ରହୁଥିବା ପରିବେଶ ମଂଜୁରୀ, ଜମି ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟାର ସମାଧାନ କରି ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହଣର ସୁବ୍ୟବସ୍ଥା ଏବଂ  ଗୋଦାମ ଗୃହର କ୍ଷମତା ବଢ଼ାଇବା ସଂପର୍କରେ ପଦକ୍ଷେପ ନେବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଆଲୋଚନା କରିଥିଲେ । ମଣ୍ଡିରୁ ମିଲ୍ ଏବଂ ମିଲ ରୁ  ଡିପୋ ପର୍ଯ୍ୟନ୍ତ ଧାନ ଓ ଚାଉଳ ପରିବହନ ପାଇଁ ଟେଣ୍ଡର ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ନେଇ ସେ ଆଲୋଚନା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗର ସମୀକ୍ଷା ଅନୁଯାୟୀ, ଭୁବନେଶ୍ୱରକୁ  ଜଳଯୋଗାଣ ପ୍ରକଳ୍ପ, ରାଉରକେଲା (ସୁନ୍ଦରଗଡ଼) ଏବଂ ବଲାଙ୍ଗୀରରେ ଜଳସେଚନ ଓ ପରିମଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ଜମି ଅଧିଗ୍ରହଣ ଏବଂ ଜମି ହସ୍ତାନ୍ତର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏହାସହ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ନିୟମଗୁଡ଼ିକର କଡ଼ାକଡ଼ି କାର୍ଯ୍ୟାନ୍ୱୟନ, ସ୍ୱତନ୍ତ୍ର ସେଲ୍ ଗଠନ, ଅଧିକ ବଜ୍ୟ ବାହାରୁ ଥିବା ବର୍ଜ୍ୟବସ୍ତୁ ଉତ୍ପାଦକମାନଙ୍କ ପଞ୍ଜୀକରଣ ଏବଂ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)କୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

“ଟିବି ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବା  ସହ ବ୍ଲକ ସ୍ତରୀୟ କ୍ଲାସ୍-୧ ଅଧିକାରୀମାନଙ୍କୁ ମନୋନୀତ କରାଯାଇଛି ଏବଂ ଏହି ଅଭିଯାନର ସଫଳତା ପାଇଁ ଲକ୍ଷ୍ୟଧାର୍ଯ୍ୟ ଜନସଂଖ୍ୟା ସ୍କ୍ରିନିଂ, ଏକ୍ସ-ରେ ପରୀକ୍ଷା, ଏବଂ ନିକ୍ଷୟ ପୋଷଣ ଯୋଜନା  ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କାର୍ଯ୍ୟ ପ୍ରଦାନ କରାଯାଉଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଉପସ୍ଥାପନ କରି ଜିଲ୍ଲାଗୁଡ଼ିକର ପ୍ରଦର୍ଶନକୁ ବଢାଇବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ   ଦେଇଥିଲେ । 

ଜିଲ୍ଲାପାଳମାନଙ୍କ ସହିତ ବୈଠକରେ କୃଷି ବିଭାଗର କାର୍ଯ୍ୟ ଅନୁଯାୟୀ, ଫାର୍ମର ରେଜିଷ୍ଟ୍ରି କାର୍ଯ୍ୟକୁ ଦୈନନ୍ଦିନ ଭିତ୍ତିରେ ସମୀକ୍ଷା କରିବା, କମ୍ ପଞ୍ଜୀକରଣ ହୋଇଥିବା ଗ୍ରାମଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେବା ଏବଂ ସହ ୱିଣ୍ଡ୍ସ ( ପାଣିପାଗ ସୂଚନା ତଥ୍ୟ ବ୍ୟବସ୍ଥା) ପ୍ରକଳ୍ପ ପାଇଁ ସ୍ୱୟଂଚାୟକ ପାଣିପାଗ କେନ୍ଦ୍ର ସ୍ଥାନ ନିରୂପଣ ଚିହ୍ନଟ ଓ ହସ୍ତାନ୍ତର ତ୍ୱରାନ୍ୱିତ କରିବା ସହିତ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବନ୍ୟା ରିଲିଫ୍ ପ୍ୟାକେଜ୍ ଅଧୀନରେ ବିହନ, କୀଟନାଶକ ଏବଂ ପନିପରିବା ମିନିକିଟ୍ ର ସଠିକ୍ ବଣ୍ଟନ ଓ ବ୍ୟବହାର ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ ସଂପର୍କିତ କାର୍ଯ୍ୟାନ୍ୱୟନରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ  ପାଇଁ  ନିୟମିତ ସମୀକ୍ଷା, ହସ୍ତତନ୍ତ  ହବ୍ ଓ ଟସର ସିଲ୍କ୍ ପାର୍କ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ଜମି ଚିହ୍ନଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସେରିକଲ୍ଚର ବା ରେସମ ଚାଷ କ୍ଷେତ୍ରର ବିକାଶ ନିମନ୍ତେ ଜମି ପ୍ରଦାନ ଏବଂ ହସ୍ତଶିଳ୍ପ କ୍ଷେତ୍ରର ଶିଳ୍ପୀ  ଉନ୍ନତି ଯୋଜନା  ତଥା ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ଏବଂ ‘ସୃଜନିକା‘ ବ୍ରାଣ୍ଡ୍ ଅଧୀନରେ ମୌଳିକ କେନ୍ଦ୍ରଗୁଡ଼ିକର ନିର୍ମାଣ ଓ ବ୍ୟାଙ୍କ୍ ଋଣ ମଞ୍ଜୁରୀ କାର୍ଯ୍ୟକୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏମଏସଏମଇ ବିଭାଗ ଅନ୍ତର୍ଗତ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ,  ଓଡ଼ିଶା ସେବା ଫାର୍ଷ୍ଟ ନବସୃଜନ ଆହ୍ୱାନ ଏବଂ ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର ୬.୦ ସଂପର୍କରେ ସୂଚନା ଓ କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଥିଲା ।  ମିଶନ ଶକ୍ତି ବିଭାଗର ସମୀକ୍ଷାରେ  ମହିଳା ଉଦ୍ୟମୀମାନଙ୍କ ପାଇଁ ବଜାର ସୁବିଧା, ସୁଭଦ୍ରା ଶକ୍ତି ମାର୍ଟ୍, ଗ୍ରାମ ପଞ୍ଚାୟତ ସୁଭଦ୍ରା ଶକ୍ତି କେନ୍ଦ୍ର ଏବଂ ଜିଲ୍ଲା ସୁଭଦ୍ରା ଶକ୍ତି ବଜାର ସ୍ଥାପନ  ତଥା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟକାରିତା ସ୍ଥିତି ଏବଂ ସେଗୁଡ଼ିକ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ତଥା ଚିହ୍ନଟ ପ୍ରକ୍ରିୟା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଯଥାଶୀଘ୍ର ଆବଶ୍ୟକୀୟ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେହିପରି ଯେଉଁ ସବୁ ସ୍ଥାନରେ ଜମି ଜନିତ କିମ୍ବା ଆନୁଷଙ୍ଗିକ ସମସ୍ୟା ରହିଛି, ତାହାର ଯାଞ୍ଚ କରି ତୁରନ୍ତ ସମାଧାନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଆରମ୍ଭ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।