ନୂତନ ୫ ଲକ୍ଷ ୫ ହଜାର ୮୦୦ ଯୋଗ୍ୟ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ

ଭୁବନେଶ୍ୱର : ଗରିବ, ଅସହାୟ, ବୃଦ୍ଧା-ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ ସଶକ୍ତୀକରଣ ଦିଗରେ ଭାରତୀୟ ଜନତା ପାର୍ଟି ସରକାର ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତି କାର୍ଯ୍ୟକାରୀ କରିବାକୁ ଯାଉଛି । ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସରକାରଙ୍କ ସମୟର ଅମାନବୀୟ “ଡେଥ ଭାକେନ୍ସି’ କଳା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୫ ଲକ୍ଷ ୫ ହଜାର ୮୦୦ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ଯୋଜନାରେ ସାମିଲ କରିଛନ୍ତି । ଫଳରେ ବିଜେଡି ସରକାର ସମୟରୁ ଚାଳିଥିବା କଳା ବ୍ୟବସ୍ଥାର ପରିସମାପ୍ତି ଘଟିବା ସହ ସମସ୍ତ ଅପେକ୍ଷାରତ ନୂତନ ଯୋଗ୍ୟ ହିତାଧିକାରୀ ଭତା ପାଇବା ପାଇଁ ରାସ୍ତା ଫିଟିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ୍ ବିବୃତିରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନୀଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପୂର୍ବର ବିଜେଡି ସରକାର ସମୟରେ ଜଣେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ଗରିବ ବ୍ୟକ୍ତି ନିଜର ଭତା ପାଇବା ପାଇଁ ପଂଚାୟତ କିମ୍ବା ୱାର୍ଡରେ ଆଉ କାହାର ମୃତ୍ୟୁକୁ ଅପେକ୍ଷା କରିବାକୁ ପଡୁଥିଲା । ଏହି ତଥାକଥିତ “ଡେଥ ଭାକେନ୍ସି” ନିୟମ କାରଣରୁ ୫ ଲକ୍ଷରୁ ଅଧୀକ ଯୋଗ୍ୟ ହିତାଧିକାରୀ ବର୍ଷ ବର୍ଷ ଧରି ଆବେଦନ କରି ମଧ୍ୟ ଭତା ପାଇବାରୁ ବଂଚିତ ହୋଇ ରହିଥିଲେ । ୨୫ ବର୍ଷ କ୍ଷମତାରେ ଥିବା ବିଜେଡି ଉତର ଦେବାର ଆବଶ୍ୟକତା ରହିଛି ଯେ ଭତା ପାଇଁ ଯେଉଁ “ଡେଥ୍ ଭାକେନ୍ସି” ନିୟମ ଆଣିଥିଲା ତାହା ଠିକ୍ ଥିଲା କି ? ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ଭୁଲ ନିୟମକୁ ବୁଝିବା ପରେ ପୋର୍ଟାଲ ଓ ବ୍ଲକ ସର୍ଭେ ମାଧ୍ୟମରେ ତାଲିକାଭୁକ୍ତ ସମସ୍ତ ୫ ଲକ୍ଷ ୫ ହଜାର ୮୦୦ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ଗରିବ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଓଡ଼ିଶାରେ ଦୁଇଟି ଯୋଜନାରେ ସମ୍ପୂର୍ଣ୍ଣ ଭତା ଦିଆଯାଉଛି । ଗୋଟିଏ ହେଲା ମଧୁବାବୁ ପେନସନ ଯୋଜନା, ଅନ୍ୟଟି ହେଲା “ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପୋଗ୍ରାମ” (ଏନ୍‌ଏସ୍‌ଏପି)। ଓଡିଶାରେ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ବର୍ତମାନ ୫୬ ଲକ୍ଷ ୬୦ ହଜାର ହିତାଧିକାରୀ ସହାୟତା ପାଉଛନ୍ତି। ଏବେ ନୂତନ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ ଯୋଡ଼ି ହେବା ପରେ ରାଜ୍ୟରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୬୧ ଲକ୍ଷ ୬୫ ହଜାରରେ ପହଁଚିଛି, ଯାହାକି ଓଡ଼ିଶା ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ସେହିଭଳି ବିଜେଡି ସରକାର ସମୟରେ ସାମାଜିକ ସୁରକ୍ଷା ବିଭାଗ ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗର ସମୁଦାୟ ବଜେଟ ୨୦୨୨-୨୩ର ବଜେଟ୍‌ରେ ଥିଲା ୨,୧୦୯ କୋଟି ଟଙ୍କା ଏବଂ ୨୦୨୩-୨୪ର ବଜେଟ୍ ରେ ଥିଲା ୩,୨୬୦ କୋଟି ଟଙ୍କା ଥିଲା । ବିଜେପି ସରକାର ଆସିବା ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ବଜେଟକୁ ପାଖାପାଖି ତିନି ଗୁଣ ବୃଦ୍ଧି କରାଯାଇ ଏବେ ୯,୬୧୦ କୋଟି ଟଙ୍କାରେ ପହଁଚିଲାଣି । ଯେଉଁମାନେ ଆଜି ବିରୋଧୀ ଦଳରେ ବସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ଉତର ଦେବାର ଆବଶ୍ୟକତା ରହିଛି କାହିଁକି ସେମାନଙ୍କ ସରକାରରେ ଏତେ କମ୍ ଅର୍ଥ ଭତା ବାବଦରେ ଖର୍ଚ୍ଚ ହେଉଥିଲା । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜୁ ଜନତା ଦଳ ଏବଂ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟ ରଖି ସୋସିଆଲ ମିଡିଆରେ ଭତା ବନ୍ଦ ହେବାର ଏକ ମିଥ୍ୟା ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ବାସ୍ତବତା ହେଉଛି ଏନ୍‌ଏସ୍‌ଏପିରେ ୨୦ ଲକ୍ଷ ୧୨ ହଜାର ୫୫୮ ବେନିଫିସିଆରୀ ଅଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାର କେୱାଇସି ଅପ୍‌ଡେଟ କରନ୍ତି, ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଆଉଥରେ ପୁନର୍ବାର ଯାଂଚ କରନ୍ତି । କେନ୍ଦ୍ର ସରକାରଙ୍କ କେୱାଇସି ଅପଡେଟ୍ ପ୍ରକ୍ରିୟା ସମୟରେ ଏନ୍‌ଏସ୍‌ପିର ୨୦ ଲକ୍ଷ ୧୨ ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇଥିଲା। ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ମାତ୍ର ୧ ମାସ ମଧ୍ୟରେ ୮ ଲକ୍ଷ ହିତାଧୀକାରିଙ୍କର ସମସ୍ତ ତଥ୍ୟ ଅପଡେଟ କରାଯାଇ ସମସ୍ୟାର ସମାଧାନ କରାଯାଇଥିଲା । ଅବଶିଷ୍ଟ ୧ ଲକ୍ଷ ୨ ହଜାର ହିତାଧିକାରୀଙ୍କ ପାଇଁ ଘରକୁ ଘର ବୁଲି ସ୍ୱତନ୍ତ୍ର ଅଭିଯାନ ଚଳାଇ ପ୍ରାୟ ସମସ୍ତ ସମସ୍ୟା ଦୂର କରାଯାଇଛି । ସମୁଦାୟ ବର୍ତମାନ ସୁଦ୍ଧା “ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପୋଗ୍ରାମ”ରେ ପ୍ରାୟ ୧୯ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ସଫଳତାର ସହ ଭତା ପ୍ରଦାନ କରାଯାଇସାରିଛି । ବାକି ରହିଥିବା ମାତ୍ର ପ୍ରାୟ ୨୩ ହଜାର ହିତାଧିକାରୀ ଯେଉଁମାନଙ୍କର ପ୍ୟାନ କାର୍ଡ, ଆଧାର କାର୍ଡ କିମ୍ବା ପିନ୍ କୋଡ୍ ଭଳି ତଥ୍ୟଗତ ତ୍ରୁଟି ରହିଛି, ସେମାନଙ୍କ ପାଇଁ ପାଇଲଟ୍ ମୋଡ୍‌ରେ ଓାନ ଟୁ ଓାନ ସର୍ଭେ ଚାଲିଛି । ଏହା ସତ୍ୱେ ଯଦି କାହାର ବୈଷୟିକ ସମସ୍ୟା ରହେ, ତେବେ ରାଜ୍ୟ ସରକାର ସେହି ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ରାଜ୍ୟ ଅଂଶ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ସେହିଭଳି ମଧୁବାବୁ ପେନସନ ଯୋଜନା ଯେଉଁଥିରେ ୩୬ ଲକ୍ଷରୁ ଅଧିକ ଲୋକ ଭତା ପାଉଛନ୍ତି ସେଥିରେ କୌଣସି ସମସ୍ୟା ହୋଇନାହିଁ । ବିଜେଡି ନିଜ ଦଳୀୟ ସରପଂଚ ଓ ପ୍ରତିନିଧିମାନଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କୁ “ବିଜେପି ସରକାର ଭତା କାଟିଦେଲା’ ବୋଲି ମିଥ୍ୟା ଖବର ଦେଇ ଭ୍ରମିତ କରୁଛି। ମାତ୍ର ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ ଯୋଗ୍ୟ ଗରିବ ଓ ନିଷ୍ପେସିତଙ୍କ ହକ୍ ଏବଂ ଅଧିକାର ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।