ଉପରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରେସ ମିଟ୍
ଯୋଗଦେବେ ବିଧାୟକମାନଙ୍କ ଏକଦିବସୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ
କାର୍ଯ୍ୟକ୍ରମରେ ବିଧାୟକମାନଙ୍କ ଦକ୍ଷତା ବିକାଶ ମୁଖ୍ୟ ଉଦ୍ଦେଶ୍ୟ: ସଂସଦୀୟ ବ୍ୟାପାର ମନ୍ତ୍ରୀ
ଭୁବନେଶ୍ୱର : ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ସମ୍ଭାବ୍ୟ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକଦିବସୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ । ଉଦଘାଟନୀ ଅଧିବେଶନରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବେ । ଏହି ଗସ୍ତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶା ବିଧାନସଭାରେ ମୋଟ ୩୫ଟି ସଂସଦୀୟ କମିଟି ରହିଛି । ସଂସଦୀୟ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେରଳ ଓ ଓଡ଼ିଶା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ସହ ବିଧାୟକମାନଙ୍କ ଦକ୍ଷତା ବିକାଶ କରିବା ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନା ଓ ନିଷ୍ପତ୍ତିର ରୂପାୟନ ଏବଂ କାର୍ଯ୍ୟନିର୍ବାହୀ ବିଭାଗଗୁଡ଼ିକର କାର୍ଯ୍ୟଧାରା ଉପରେ ବିଧାୟକମାନେ କିପରି ପ୍ରଭାବଶାଳୀ ଭାବେ ନଜର ରଖିପାରିବେ, ସେ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ । ବିଶେଷକରି ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ବଜେଟ୍ ଆଲୋଚନା, ବିଭିନ୍ନ ବିଭାଗକୁ ଆବଣ୍ଟିତ ଅର୍ଥର ପରିମାଣ, ବ୍ୟୟ ଓ ଅନୁଦାନର ଅନୁପାତ, ବଜେଟ୍ ଆକଳନ ଏବଂ କାର୍ଯ୍ୟନିର୍ବାହୀ ବିଭାଗର କାର୍ଯ୍ୟର ସମୀକ୍ଷା ଆଦି ବିଷୟରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ଏଥିସହ ବଜେଟ୍ ଉପସ୍ଥାପନାର ବିଭିନ୍ନ ଦିଗ ଏବଂ ବିଧାନସଭାରେ କିପରି ଅଧିକ ଫଳପ୍ରଦ, ତଥ୍ୟଭିତ୍ତିକ ଓ ଗଠନମୂଳକ ଆଲୋଚନା କରାଯାଇପାରିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ବିଧାୟକମାନଙ୍କ ମଧ୍ୟରେ ଅଭିଜ୍ଞତା ଓ ଭାବର ଆଦାନପ୍ରଦାନ ହେବା ସହ ବିଧାନସଭାର କାର୍ଯ୍ୟଧାରା ଅଧିକ ସୁଦୃଢ଼ ଓ ଗୁଣାତ୍ମକ ହୋଇପାରିବ ।