କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି : ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ୫ଟି ସହର

Share this:

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ସହର-ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଏହି ସେବାର ଶୁଭାରମ୍ଭ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ କୋଭିଡ୍‌ ଡାସ୍‌ବୋର୍ଡ https://statedashboard.odisha.gov.in ଏବଂ https://o2booking.sachetakapp.in ଲିଙ୍କରେ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଅନ୍‌ଲାଇନ୍‌ ବୁକିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ କହିଛନ୍ତି ଯେ ଖାଦ୍ୟଜନିତ ରୋଗକୁ ରୋକିବା ଏବଂ ସୁସ୍ଥ ଜୀବନଯାପନ ପାଇଁ ନିରାପଦ ଖାଦ୍ୟ ଜରୁରୀ ଅଟେ । ସମ୍ବେଦନଶୀଳ ତଥା ଦୁର୍ବଳ ଲୋକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ଏକ ସୁସ୍ଥ ବିଶ୍ୱ ପାଇଁ ଖାଦ୍ୟଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷା ସୁନିଶ୍ଚିତ କରିବାକୁ  ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଏବଂ ସମନ୍ୱିତ ବିକାଶ ପାଇଁ ‘ରିୱାର୍ଡ’ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାମୂଳକ ଭାବେ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ଅଞ୍ଚଳକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ସହ ଆତ୍ମନିର୍ଭରଶୀଳତା ବୃଦ୍ଧି କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେଉଛି । କୋଭିଡ୍‌ ସ୍ଥିତିରେ କେନ୍ଦ୍ରାପଡ଼ାର ୪୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାଛଚାଷ ଜରିଆରେ ସଫଳତା ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟର ଗ୍ରେଡିଂ ସୂଚକାଙ୍କ ୨୦୧୯- ୨୦ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଗ୍ରେଡ୍‌-୧ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ଗତବର୍ଷ ତୁଳନାରେ ଭିତ୍ତିଭୂମି, ସୁବିଧା ଏବଂ ଅଂଶଗ୍ରହଣ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଛି । ମୁଖ୍ୟମନ୍ତ୍ରୀ ଜୟପୁରର ମାନ୍ୟବର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି କୋଭିଡ୍‌ ସଂକ୍ରମିତ ହୋଇଥିବା ଜାଣି ଚିନ୍ତା ପ୍ରକଟ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୂଆପଡ଼ାର ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ କୋଭିଡ୍‌ ସଂକ୍ରମିତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜାଣି ଚିନ୍ତା ପ୍ରକଟ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ କୋଭିଡ୍‌ ସଂକ୍ରମିତ ୨୫ ଦିନର ଶିଶୁର ସଫଳ ଚିକିତ୍ସା କରିଥିବାରୁ ନୂଆପଡ଼ାର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ଚିକିତ୍ସାସେବାକୁ ପ୍ରଶଂସା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିବା ଏହି ଶିଶୁ ମହାମାରୀ ସମୟରେ ଦୃଢ଼ ରହିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୧୯, ୨୧୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୩୯, ୩୭୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୩୦୩୫ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୭୬,୭୫୦ ରହିଛି ।

RELATED BY