ଭୁବନେଶ୍ୱର : ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଶିଶୁମାନଙ୍କ ଉପଯୁକ୍ତ ଯତ୍ନର ଗୁରୁତ୍ୱକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହରିନଗର ସ୍ଥିତ ମଇଁଷିଖାଲଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି । ଶିଶୁ ଦିବସ ଅବସରରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଜିଲ୍ଲା ଓ ରାଜ୍ୟସ୍ତରରେ ଏକକାଳୀନ ଏହି ଉତ୍ସବ ପାଳନ କରାଯାଇଛି, ଯାହା ଆନନ୍ଦମୟ, ଖେଳ-ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁ, ପିତାମାତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ଏକାଠି କରିଛି । ସମସ୍ତଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ ଯେ, ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସ୍ନେହ, ଯତ୍ନ, ମମତା ଏବଂ ସମ୍ପୃକ୍ତି ମାଧ୍ୟମରେ ହିଁ ତାର ଭବିଷ୍ୟତର ମୂଳଦୁଆ ଗଠିତ ହୋଇଥାଏ । ଶିଶୁର ଲାଳନପାଳନ ଉଭୟ ପିତାମାତାଙ୍କର ମିଳିତ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିବା ସହ ଶିଶୁ ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପିତାମାନଙ୍କୁ ଉତ୍ସାହିତ କରିଥିଲେ । ଶିଶୁମାନଙ୍କ ଭାବପ୍ରବଣ, ସାମାଜିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ପାରମ୍ପରିକ ପ୍ରଥା ଯଥା- ନାନାବାୟା ଗୀତ, ଗପ କହିବା ଏବଂ ଆନନ୍ଦମୟ ଭାବବିନିମୟକୁ ସଂରକ୍ଷିତ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଉତ୍ସାହ, ସୃଜନଶୀଳତା ଏବଂ ପାରିବାରିକ ଅଂଶଗ୍ରହଣରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ୦ ରୁ ୬ ବର୍ଷ ବୟସର ପ୍ରାୟ ୭୦୦ ଶିଶୁ ସେମାନଙ୍କର ପିତାମାତା ଏବଂ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ । ଶିଶୁମାନଙ୍କର ଦୈନନ୍ଦିନ ଶିକ୍ଷଣ ଅନୁଭୂତିରେ ଅଭିଭାବକମାନଙ୍କୁ ସାମିଲ କରିବା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଜନ୍ମରୁ-୩ ବର୍ଷର ଶିଶୁ ଏବଂ ୩-୬ ବର୍ଷର ପିଲାମାନଙ୍କ ପାଇଁ ପୃଥକ ପୃଥକ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକଳାପ କର୍ଣ୍ଣର (Activity Corners) ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ଶିଶୁ, ଅଭିଭାବକ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଖେଳ ମାଧ୍ୟମରେ ଶିକ୍ଷାକୁ ଶିଶୁ ଲାଳନପାଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକଳାପ କର୍ଣ୍ଣରଗୁଡ଼ିକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସାମଗ୍ରୀ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା (PSE) କିଟ୍, ଜେଜେବାପା-ଜେଜେମାଆଙ୍କ ଦ୍ୱାରା ପାରମ୍ପରିକ ନାନାବାୟା ଗୀତ ଓ ଗପ କହିବା, ପିତାମାନଙ୍କ ଦ୍ୱାରା ସ୍ଥାନୀୟ ତଥା ସ୍ୱଳ୍ପ ମୂଲ୍ୟର ସାମଗ୍ରୀ ବ୍ୟବହାର କରି ନିଜ ହାତରେ ଖେଳଣା ତିଆରି (DIY toy-making), ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ବିକାଶ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଶିଶୁମାନେ ଅଭିନୟ ଗୀତ, ନୃତ୍ୟ, ଗପ କହିବା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ସେମାନଙ୍କର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ସହ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ଉତ୍ସାହିତ କରିଥିଲେ । ନିଜ ହାତରେ ଅଭିନବ ଖେଳଣା ତିଆରି କରିଥିବା ପିତାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ । ଘରେ ସୃଜନଶୀଳ କାର୍ଯ୍ୟକଳାପ ଏବଂ ଖେଳ-ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଜନ୍ମରୁ-୬ ବର୍ଷ ବୟସର ଶିଶୁମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବ୍ୟତୀତ, ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘କୋଟିଏ ହସ’ ପାଳନ କରାଯାଇଥିବା ବେଳେ ଜିଲ୍ଲା ସଦର ମହକୁମା ନିକଟସ୍ଥ ମନୋନୀତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ଓ ବିକାଶ ପାଇଁ ଉତ୍ତରଦାୟୀ ଅଭିଭାବକତ୍ୱ, ପ୍ରାରମ୍ଭିକ ପ୍ରେରଣା ଏବଂ ଏକ ସହାୟକ ପରିବେଶର ଗୁରୁତ୍ୱ ବିଷୟରେ ସଚେତନତା ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ସମାଜ ଓ ପରିବାରଗୁଡ଼ିକୁ ଏକାଠି କରିଥିଲା । ‘କୋଟିଏ ହସ’ ମାଧ୍ୟମରେ ବିଭାଗ ଏହି ବାର୍ତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଯେ ଶୈଶବ ଯତ୍ନ, ସାହଚର୍ଯ୍ୟ, ସୃଜନଶୀଳତା ଏବଂ ଆନନ୍ଦମୟ ଶିକ୍ଷାରେ ପରିପୂର୍ଣ୍ଣ ହେବା ଉଚିତ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଶିଶୁ ଯେପରି ବଢ଼ିବା, ଶିଖିବା ଏବଂ ବିକଶିତ ହେବା ପାଇଁ ଏକ ଅନୁକୂଳ ପରିବେଶ ପାଇପାରିବେ, ତାହା ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
