ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ଓଡ଼ିଶା ବିଧାନସଭା ଅଧିବେଶନର ପ୍ରସ୍ତୁତି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି ।
ବୈଠକରେ ଆଗାମୀ ବିଧାନସଭା ଅଧିବେଶନକୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ନିମନ୍ତେ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ ଆଗାମୀ ଦିନରେ ମହାମହିମ ରାଷ୍ଟ୍ରପତି, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ଆଗକୁ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ଯଥା କାର୍ତ୍ତିକ ପୂର୍ଣ୍ଣିମା, ବଡ଼ଓଷା, ବାଲିଯାତ୍ରା ଓ ବେଳାଭୂମି ମହୋତ୍ସବ ଭଳି ପ୍ରମୁଖ ପର୍ବପର୍ବାଣୀ ସମୟରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଥିଲେ ।
ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରି ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ତଥା ଜଘନ୍ୟ ଅପରାଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ବ୍ୟାପକ କରିବା ସହ ନିଶା କାରବାର ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍, ସାଇବର ଅପରାଧ ଓ ‘ଡିଜିଟାଲ୍ ଆରେଷ୍ଟ’ ଭଳି ଠକେଇ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ପୋଲିସ କମିସନର (ଭୁବନେଶ୍ଵର-କଟକ) ଡଃ ଏସ ଦେବଦତ୍ତ ସିଂ, ଆଇଜିପି (କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିସନର ଡଃ କନୱର ବିଶାଲ ସିଂ, ଏଆଇଜିପି (ମୁଖ୍ୟାଳୟ) ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଏଆଇଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ପ୍ରଭାଶଙ୍କର ନାୟକଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍ପିମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ ।