୫‘ଟି’ ମନ୍ତ୍ରର ସଦୁପଯୋଗ କରି ପଣ୍ୟାଗାର ନିଗମକୁ ରାଜ୍ୟର ସର୍ବୋତ୍କୃଷ୍ଟ ନିଗମରେ ପରିଣତ କର

ଭୁବନେଶ୍ୱର :୫‘ଟି’ ମନ୍ତ୍ରର ସଦୁପଯୋଗ କରି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ରାଜ୍ୟର ସର୍ବୋତ୍କୃଷ୍ଟ ନିଗମର ମାନ୍ୟତା ଦେବା ପାଇଁ ନିଗମର ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ଦିନ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଦୀର୍ଘ ୬୫ ବର୍ଷ ତଳେ ୧୯୫୮ ମସିହାରେ ମାତ୍ର ୫୦୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଘର ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଆଜି ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ୫ ଲକ୍ଷ ୨୧ ହଜାର ୪୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମଘର ପରିଚାଳନା କରିବା ବାସ୍ତବିକ୍‌ ଗର୍ବ ଓ ଗୌରବର ବିଷୟ । ଏହା ନିଗମରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ନିଗମର ନକାରାତ୍ମକ ପ୍ରତିଛବି ଆଜି ବେଶ୍‌ ସକାରାତ୍ମକ ହୋଇପାରିଛି । ନିଗମକୁ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ – ୨୦୨୨ରେ ସମ୍ମାନିତ କରାଯିବା ନିଗମ ପାଇଁ ସମ୍ମାନ ଆଣିଦେଇଛି । ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ, ଅଶୀ ଦଶକ ପର୍ଯ୍ୟନ୍ତ ଓଡ଼ିଶା ଅଭାବୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା । ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆମେ ବଳକା ରାଜ୍ୟ । ୫ ଥର କୃଷିକର୍ମଣ ପୁରସ୍କାର ମିଳିସାରିଛି । ଧାନ ସଂଗ୍ରହରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ଅଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆମେ କୃତିତ୍ୱ ଅର୍ଜନ କରି ପ୍ରଶଂସା ସାଉଁଟିଛୁ । ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ ଯେତିକି ଜରୁରୀ ତା’ର ସମୁଚିତ ସଂରକ୍ଷଣ ତତୋଧିକ ଆବଶ୍ୟକ । ରାଜ୍ୟ ପଣ୍ୟାଗାର ନିଗମ ସେହି ମହତ୍ତ୍ୱପୂର୍ଣ୍ଣ ଭୂମିକା ସୁଚାରୁରୂପେ ନିର୍ବାହ କରିଚାଲିଛି । ତେବେ ପଣ୍ୟାଗାର ନିଗମର ୬୮ଟି ଗୋଦାମଘର ଯଥେଷ୍ଟ ନୁହେଁ, ଆହୁରି ଅଧିକ ଗୋଦାମଘରର ବ୍ୟବସ୍ଥା ହେବା ଦରକାର । ଗୋଦାମଗୁଡ଼ିକ ଯେପରି ନିଗମ ପାଇଁ ଲାଭଜନକ ହେବ, ସେ ଦିଗରେ ସମସ୍ତେ ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ପଣ୍ୟାଗାରଗୁଡ଼ିକର ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟକୁ କମ୍ପ୍ୟୁଟରୀକରଣ ମାଧ୍ୟମରେ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁୱେୟାର ହାଉସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ଗୋଦାମ ଘରଗୁଡ଼ିକରେ ଗଚ୍ଛିତ ଦ୍ରବ୍ୟର ଦେଣନେଣ, ସଂରକ୍ଷଣ, ଗୁଣବତ୍ତା ନିୟନ୍ତ୍ରଣ, ଷ୍ଟକର ଯାଞ୍ଚ ପ୍ରକ୍ରିୟା ଦ୍ୱରାନ୍ୱିତ କରାଯାଇଛି । ଏଥିପାଇଁ ନିଗମକୁ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌ – ୨୦୨୨ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣ W.D.R.A.ରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ୪୦ଟି ଗୋଦାମ ପଞ୍ଜୀକୃତ ହୋଇଛି । ଗୋଦାମଗୁଡ଼ିକର ପଞ୍ଜୀକରଣ ବ୍ୟବସାୟୀକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ/ ଜମାକାରୀମାନେ ଗଚ୍ଛିତ ଶସ୍ୟ ପାଇଁ ହସ୍ତାନ୍ତର ଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କ୍‌ରୁ ଋଣର ସୁବିଧା ପାଇପାରିବେ । ଗୋଦାମଗୁଡ଼ିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛି ବୋଲି ଶ୍ରୀ ଚଢ଼ାପ୍ରକାଶ କରିଥିଲେ । ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଗଣେଶ୍ୱର ଜେନା ସ୍ୱାଗତ ଭାଷଣ ଦେଇ ନିଗମର ସାଂପ୍ରତିକ ସ୍ଥିତି ଓ ଭବିଷ୍ୟତର ରୂପରେଖ ସମ୍ବନ୍ଧରେ ବିଶଦ ସୂଚନା ଦେଇଥିଲେ । ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଶାଖାର ସାଧାରଣ ପରିଚାଳକ ଶ୍ରୀ ବି.ପି. ସିଂ, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ବଢ଼େଇ, ସମବାୟ ସମିତି ନିବନ୍ଧକ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ଉଦ୍ଧବ ଚରଣ ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ସମ୍ପାଦିକା ଶ୍ରୀମତୀ ରଞ୍ଜନା ସାହୁ ନିଗମର ବାର୍ଷିକ ବିବରଣୀ ପାଠ କରିଥିଲେ । ନିଗମର ଡେପୁଟି ଜେନେରାଲ ମ୍ୟାନେଜର ଧନ୍ୟବାଦ ଦେଇଥିଲେ । ରାଜ୍ୟ ପଣ୍ୟାଗାର ନିଗମର କାର୍ଯ୍ୟାବଳୀ ସମ୍ବଳିତ ଏକ କ୍ଷୁଦ୍ର ଭିଡିଓ ପରିବେଷିତ ହୋଇଥିଲା । ନିଗମ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ବଢ଼େଇ ଓ ପରିଚାଳନା ନିର୍ଦ୍ଦେଶକ ଡ. ଗଣେଶ୍ୱର ଜେନା ସମସ୍ତ ଅତିଥିଙ୍କୁ ଉପଢୌକନ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *