ଭୁବନେଶ୍ୱର:ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷ ଜେଲ ଏବଂ ଲୋକସଭାର ସାଂସଦ ଭାବେ ସଭ୍ୟପଦ ରଦ୍ଦ ରାୟ ପ୍ରତିବାଦରେ ଶନିବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରି ମାଷ୍ଟରକ୍ୟାଂଟିନ ଛକରେ ରାଜରାସ୍ତା ଅବରୋଧ କରାଯାଇଥିଲା । ଏହାପରେ ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପାଇଁ ଶୋଭାଯାତ୍ରା ଯାଉଥିବା ବେଳେ ରାସ୍ତାରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦଙ୍କୁ ପୋଲିସ ଅଟକାଇ ଘଟଣାସ୍ଥଳରୁ ଟେକିନେଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚପେଇ ଦେବାପାଇଁ ମୋଦି ଚକ୍ରାନ୍ତ କରୁଛନ୍ତି । ନରେନ୍ଦ୍ର ମୋଦି ଏବଂ ତାଙ୍କର ପ୍ରିୟ ଶିଳ୍ପପତି ଯେଉଁମାନେ କି ଦେଶର ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ସେମାନଙ୍କ ବିରୋଧରେ ରାହୁଲ ଗାନ୍ଧୀ ସ୍ୱରଉତୋଳନ କରିବା କ’ଣ ଅପରାଧ ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ମୋଦିଙ୍କର ମାନସପୁତ୍ର ଆଦାନୀ ଗ୍ରୁପର କଳାସାମ୍ରାଜ୍ୟ ଓ ଆଦାନିଗ୍ରୁପକୁ ମୋଦିଙ୍କ ଅନୁକମ୍ପା ସଂପର୍କରେ ରାହୁଲ ଗାନ୍ଧୀ ବାରମ୍ବାର ସ୍ୱରଉତୋଳନ କରିଛନ୍ତି । ଯାହା ମୋଦିଙ୍କୁ ଅସହ୍ୟ ହୋଇପଡ଼ିଛି । ଭାରତଯୋଡ଼ ଯାତ୍ରାରେ ଜନସାଧାରଣଙ୍କ ନିକଟରେ ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତାକୁ ମୋଦି ହଜମ କରିପାରୁନାହାନ୍ତି । ରାହୁଲ ଗାନ୍ଧୀଙ୍କ ବିରୋଧରେ ଯେଉଁ କେସ ଦିଆଯାଇଛି ତାର ଷଡ଼ଯନ୍ତ୍ର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ମୋଦି କୃତ ଦୁର୍ନୀତି ବିରୋଧରେ କୌଣସି ଜନପ୍ରତିନିଧି କିପରି ଆଉ ସ୍ୱର ଉତୋଳନ କରିବେ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା ହୋଇଛି । ଅଣ ବିଜେପି ଦଳ ଯେଉଁମାନେ ଧର୍ମ ନିରପେକ୍ଷତା ଉପରେ ବିଶ୍ୱାସ ରଖନ୍ତି ସେମାନେ ଏକତ୍ରିତ ହେବାର ସମୟ ଆସିଛି । ନିର୍ବାଚିତ ପ୍ରତିନିଧିମାନଙ୍କର ଅଧିକାରକୁ ନରେନ୍ଦ୍ର ମୋଦି ଛଡ଼େଇ ନେବାକୁ ଯୋଜନା କରୁଛନ୍ତି । ଆଜି ସାମ୍ବିଧନିକ ଅନୁଷ୍ଠାନ ବିପଦରେ । କୋର୍ଟ, ନିର୍ବାଚନ କମିଶନ ପ୍ରଭୃତି ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ମୋଦିଙ୍କ ପ୍ରଭାବରେ ଆଜି ନିରପେକ୍ଷତା ଅବଲମ୍ବନ କରିପାରୁନାହାନ୍ତି । ରାହୁଲ ଗାନ୍ଧୀଙ୍କର ମୋଦି ବିରୋଧି ଆହ୍ୱାନ ଭାରତର କୋଣ ଅନୁକୋଣରେ ପହଞ୍ଚି ସାରିଛି । ମୋଦି ଦେଶକୁ ଲୁଣ୍ଠନ କରୁଛନ୍ତି ବୋଲି ସାଧାରଣ ଜନତାଙ୍କ ନିକଟରେ ରାହୁଲ ଗାନ୍ଧୀ ପ୍ରମାଣିତ କରିଛନ୍ତି । ଦେଶସାରା ମୋଦିକୃତ ଦୁର୍ନୀତି ବିରୋଧରେ ପ୍ରତି ହୃଦୟରେ ରାହୁଲ ଗାନ୍ଧୀ ଯେଉଁ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି ତାହାକୁ ମୋଦି ନିର୍ବାପିତ କରିପାରିବେ ନାହିଁ । ସୁତରାଂ ରାହୁଲଙ୍କ ନେତୃତ୍ୱ ପ୍ରତି ମୋଦି ଓ ବିଜେପି ଭୟଭୀତ ହୋଇଯାଇଛନ୍ତି । ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ କରିବା ଏକ ଆକ୍ରୋଶମୂଳକ ଏବଂ ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ସାଧାରଣ ଜନତା ଅନୁଭବ କରିସାରିଲେଣି । ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ନିହାର ବେହେରା, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୁତିଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ସୁନିଲ କୁମାର ସାହୁ, ମୁନା ପରିଡ଼ା, ଆର୍ଯ୍ୟାନ ସାସ୍ମଲ, ସୌରଭ ପଟ୍ଟନାୟକ, ଶୁଭ୍ରଜ୍ୟୋତି ଲେଙ୍କା, ସାଇରାମ ପାଣିଗ୍ରାହୀ, ମହମ୍ମଦ ମୋଫି, କୁନାଲ ସିଂ, ଆଶୀର୍ବାଦ ବେହେରା, ଅବିନାଶ ନନ୍ଦ, ଉଦ୍ଦିତ ପ୍ରଧାନ, ଅହମଦ ଖାନ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।